‘ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ, ନବ ଦାସ ହତ୍ୟାକୁ ନେଇ ବିରୋଧୀ ମିଛ କହୁଛନ୍ତି’

ଭୁବନେଶ୍ୱର: ଆତ୍ମରକ୍ଷା ନୁହେଁ, ଆକ୍ରମଣ  । ଟେକାର ଜବାବ ପଥରରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।  ଆଜି ବିଧାନସଭାରେ ବିରୋଧିଙ୍କ ଉପରେ ସିଧା ହମଲା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଶାଣିତ ସ୍ୱରରେ ତଗଡ଼ା ଜବାବ ରଖି ନବୀନ ବିରୋଧିଙ୍କୁ ଗୁଡେଇ ଚୁଡେଇ ପ୍ରଶ୍ନ ମଧ୍ୟ କରିଥିଲେ  । ଯଦି ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ତେବେ ଦେଶର ସବୁଠୁ ଅଧିକ ପୁଞ୍ଜି ଆମ ରାଜ୍ୟକୁ କେମିତି ଆସିଲା ? ବିରୋଧି କେବଳ ହୀନ ରାଜନୈତିକ ସଂକୀର୍ଣ୍ଣତାର ଗଣ୍ଢିରେ ବଞ୍ଚୁଛନ୍ତି  । ଆଇନ ଶ୍ୃଙ୍ଖଳା ଓଡ଼ିଶାରେ ବିଗିଡି ଯାଇଛି କହିବାର ଅର୍ଥ, ଶାନ୍ତି ପ୍ରିୟ ଓଡ଼ିଆଙ୍କୁ ଅପମାନ ଓ ଅସମ୍ମାନ   । ଏହାକୁ ବିରୋଧି ଦଳ ଓ ବିରୋଧି ଦଳର ନେତା ଭୁଲି ୟାଆନ୍ତୁ ନାହିଁ ବୋଲି ସତର୍କ କରାଇଥିଲେ ନବୀନ  ।

ବିଧାନସଭାରେ ସ୍ୱରାଷ୍ଟ୍ର ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ନିଜ ଜବାବ ରଖିଲା ବେଳେ ନବୀନ ପୁରାକୁ ପୁରା ଆକ୍ରମଣ ମୁଦ୍ରାରେ ଥିଲେ  । ବିରୋଧିଙ୍କ ପ୍ରତିଟି ପ୍ରଶ୍ନ ଓ ଅଭିଯୋଗର ସିଧା ସିଧା ଉତ୍ତର ଦେଇଥିଲେ  । ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଅବାସ୍ତବ  । ଆମେ ଶିଳ୍ପ ଉତ୍ପାଦନ ଓ କୃଷି ଉତ୍ପାଦନରେ ନୂଆ ରେକର୍ଡ ସୃଷ୍ଟି କରିଛୁ  । ନିଜ ରେକର୍ଡ ନିଜେ ଭାଙ୍ଗିଛୁ । ପରିବହନ ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତିର ଏକ ସୂଚକାଙ୍କ  । ଆମ ରାଜ୍ୟରେ ରେଳବାଇ ଦେଶରେ ସର୍ବାଧିକ ଲାଭ ଦେଉଥଛିଲା ବେଳେ ପରିବହନରେ କୌଣସି ପ୍ରକାର ବାଧାବିଘ୍ନ ଉପୁଜି ନାହିଁ  । ସାରା ବିଶ୍ୱକୁ ଚମକାଇଲା ଭଳି ଆମେ ହକି ବିଶ୍ୱକପର ସଫଳ ଆୟୋଜନ କଲୁ  । ମହାପ୍ରଭୁଙ୍କ ରଥଯାତ୍ରା ଓ ନିର୍ବାଚନ ସହ ବିଭିନ୍ନ ପରୀକ୍ଷାର ଶୃଙ୍ଖଳାର ସହ ସମାପ୍ତ କରିଛୁ  । ମାଓ ହିଂସା, ଦଙ୍ଗା ନାହିଁ କହିଲେ ଚଳେ  । ଆଇନ ଶୃଙ୍ଖଳା ଥିବାରୁ ମୋ ସରକାର ରାଜ୍ୟସ୍ୱ ଆୟରେ ବେସ ଅଭିବୃଦ୍ଧି ଆଣି ପାରିଛି  । ଏତିକି କଥା ବିରୋଧି କେମିତି ବୁଝି ପାରୁ ନାହଁନ୍ତି ବୋଲି ପାଲଟା ପ୍ରଶ୍ନ କରିଥିଲେ ନବୀନ  ।

ଜବାବୀ ହମଲାରେ ନବୀନ କହିଲେ, ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ମୁଁ ବହୁ ଆଡେ ଯାଇଛି  । ସବୁ ନିବେଶକଙ୍କ ଗୋଟିଏ ସ୍ୱର, ଓଡ଼ିଶା ହେଉଛି ଶାନ୍ତି ପ୍ରିୟ ରାଜ୍ୟ  । ଯେଉଁଥି ପାଇଁ ସେମାନେ ନିବେଶ କରିବାକୁ ଆଗେଇ ଆସୁଛନ୍ତି  । ମୋ ରାଜ୍ୟବାସୀ ଶାନ୍ତି ପ୍ରିୟ  । ଯେଉଁଥିପାଇଁ ଓଡ଼ିଶା ଆଜି ବିକାଶର ରାସ୍ତାରେ  । ମୋ ରାଜ୍ୟବାସୀଙ୍କୁ ନେଇ ମୁଁ ଗର୍ବିତ  । ନବଦାସ ହତ୍ୟା ଘଟଣା ନେଇ ବିରୋଧିଙ୍କ ଅଭିଯୋଗରେ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ କହିଲେ, ଏ ମାମଲାରେ ତଦନ୍ତ ନିରପେକ୍ଷ ଭାବେ ଚାଲୁ ରହିଛି  । ବିରୋଧି କେମିତି ଜାଣିଲେ ହତ୍ୟା ଅଭିଯୁକ୍ତ ଜଣେ ପାଗଳ ବୋଲି ? ସରକାରଙ୍କୁ ଦୋଷ ଦେଇ ବିରୋଧି ରାଜନୀତିର ରୁଟି ସେକୁଛନ୍ତି  । ଏହି ସ୍ପର୍ଶକାତର ଘଟଣାରେ ସତ୍ୟ ପଦାକୁ ଆସିବ ଓ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିବା ଲକ୍ଷ୍ୟରେ ତଦନ୍ତ ଚାଲିଛି  । ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି  । ଏହାସ୍ୱତେ ବିରୋଧି ଯଦି ଅଭିଯୋଗ କରୁଛନ୍ତି ସରକାର କିଛି ଲୁଚାଉଛନ୍ତି ବୋଲି, ତେବେ ଏହା କେବଳ ସଂକୀର୍ଣ୍ଣ ରାଜନୀତି  ।

ମୁଖ୍ୟମନ୍ତ୍ରୀ କହିଲେ ଥାନା ଗୁଡିକରୁ ସାଧାରଣ ଲୋକ ଯେପରି ନ୍ୟାୟ ପାଇବେ  । ସରକାର ତାହାକୁ ଫୋକସ କରୁଛନ୍ତି  । ଆସ୍କା ଥାନା ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି  । ଯାହା ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ  । ଓଡ଼ିଶା ପୋଲିସରେ ସ୍ୱଛତା ଓ ଲୋକଙ୍କୁ ଗୁଣାତ୍ମକ ସେବା ପାଇଁ ମୋ ସରକାରକୁ କାର୍ଯ୍ୟକାରୀ କରାଯାଇଛି  । ଜନସାଧାରଣ ପୋଲିସର କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରୁଛନ୍ତି  । ପୋଲିସ ବିଭାଗ ଅଧିକ ଶୃଙ୍ଖଳିତ ହୋଇଥିଲା ବେଳେ ଆଧୁନିକୀକରଣ ସହ ପଦବୀ ପୂରଣକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି  ।