ମୁହଁରେ ତାଲା ପକାଇ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଂସଦ ବାଟ ବନ୍ଦ ହେବା ପରେ କଂଗ୍ରେସର ଗର୍ଜନ । କଂଗ୍ରେସ ନେତା ଓ କର୍ମୀ କଳା ଦିବାସ ପାଳିବା ସହ ମୁହଁରେ ତାଲା ଲଗାଇ ଅନେକ ସ୍ଥାନରେ କରାଯାଇଛି ପ୍ରତିବାଦ ଓ ବିକ୍ଷୋଭ । ବିଜେପି ନିଜ ଷଡଯନ୍ତ୍ରରେ କେବେ ସଫଳ ହେବ ନି ବୋଲି କହିଛି କଂଗ୍ରେସ । ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ରାହୁଲଙ୍କ ସାଂସଦ ପଦ ରଦ୍ଦର ଇଫେକ୍ଟ । ରେଳରୋକ କରି ପ୍ରତିବାଦ ଜଣାଇଛି ଓଡ଼ିଶା କଂଗ୍ରେସ । ଆସନ୍ତାକାଲି ସାରା ଦେଶରେ ସତ୍ୟାଗ୍ରହ କରିବ କଂଗ୍ରେସ  ।

ହାରିବନି ଗାନ୍ଧି । ସବୁଠି ପ୍ରତିବାଦ । ସତ୍ୟ ପାଇଁ ଲଢେଇ ହେବ ଜୋରଦାର । ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପରେ ସାରା ଦେଶରେ ବିକ୍ଷୋଭ । ସୁରଟ କୋର୍ଟଙ୍କ ରାୟ ବିରୋଧରେ କଂଗ୍ରେସ ସମର୍ଥକଙ୍କ ପ୍ରଦର୍ଶନ । ସାରା ଦେଶରେ କଳା ଦିବସ ପାଳନ କରୁଛି କଂଗ୍ରେସ  । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ । ଦେଶ ପାଇଁ ଲଢେଇ ଜାରି ରହିବ କହିଲା କଂଗ୍ରେସ । ବିରୋଧୀଙ୍କ ପାଟି ଚୁପ୍ କରି ଏକଛତ୍ରବାଦ ଶାସନ କରିବାକୁ ସ୍ବପ୍ନ ଦେଖୁଛି ବିଜେପି  । ଯାହା କେବେବି ପୂରଣ ହେବ ନାହିଁ ବୋଲି କହିଛି କଂଗ୍ରେସ ।

ବାୟନାଡରେ କଂଗ୍ରେସ ସମର୍ଥକ ଜୋରଦାର ବିରୋଧ କରିଥିବା ବେଳେ ବ୍ୟାରିକେଡ ଭାଙ୍ଗି ଥିଲେ ସମର୍ଥକ । ଏହି ସମୟରେ ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି । ସୁରଟ କୋର୍ଟଙ୍କ ରାୟ ବେଆଇନ ବୋଲି କହିଥିଲେ କଂଗ୍ରେସ ସମର୍ଥକ । ୨୦୧୯ରେ ଏକ ବୟାନକୁ ନେଇ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛି କଂଗ୍ରେସ ।

ମହାରାଷ୍ଟ୍ର ଓ ଭୋପାଳରେ ମଧ୍ୟ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ପ୍ରତିବାଦ କରାଯାଇଛି । ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ର ବିରୋଧୀ ବୋଲି ଦଳ ପକ୍ଷରୁ କୁହାଯାଇଛି । ପାଟିରେ କଳା କପଡା ସହ ଚାବି ଲଗାଇ ପ୍ରତିବାଦ କରିଛନ୍ତି ଦଳୀୟ କର୍ମୀ । ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଂଗ୍ରେସ ସଦସ୍ୟ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକୁ ଦବେଇବା ପାଇଁ ବିଜେପି ଶାସିତ ରାଜ୍ୟଗୁଡିକରେ ପ୍ରୟାସ କରାଯାଇଥିବା  କଂଗ୍ରେସ କହିଛି । ତେଲେଙ୍ଗାନାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ବିରୋଧୀ ।

ଓଡ଼ିଶାରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ । କଳା ଦିବସ ପାଳନ କରିଛି କଂଗ୍ରେସ । ରେଳରୋକ କରି ପ୍ରତିବାଦ କରିଛି ଦଳ । କେନ୍ଦ୍ର ସରକାରଙ୍କ ତାନାସାହି ଆଉ ଚାଲିବ ନାହିଁ ବୋଲି କହିଛି ରାଜ୍ୟ କଂଗ୍ରେସ ।

ଅନ୍ୟପକ୍ଷରେ ସଦସ୍ୟତା ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ବାର୍ଥ ମାମଲା । ୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । ଏଭଳି ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ରହିଛି । ସମ୍ବିଧାନର ଧାରା ୧୯(୧)ର ‘କ’ ଧାରା ଅନୁସାରେ ଜଣେ ସାଂସଦ ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ବ୍ୟବସ୍ଥା ରହିଛି । ସଭ୍ୟ ପଦ ରଦ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ।

ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେବାକୁ ନେଇ ରାହୁଲଙ୍କୁ ସୁରଟର ଏକ କୋର୍ଟ ଦଣ୍ଡାଦେଶ ଦେବା ବିରୋଧୀଙ୍କୁ ହଜମ ହୋଇନି । ସେପଟେ ଲୋକସଭା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରିଛି ।