ରାହୁଲଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସର ଜୋରଦାର ହଙ୍ଗାମା, ଆଜି ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ କରିବ କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ କଂଗ୍ରେସ ବିରୋଧ ପ୍ରଦର୍ଶନ ଜୋରଦାର କରିଛି । ସବୁ ଆଞ୍ଚଳିକ ଦଳ ଏକାଠି ହୋଇ କେନ୍ଦ୍ରର ଏକଛତ୍ରବାଦ ଶାସନକୁ ବିରୋଧ କରିବା ପାଇଁ କଂଗ୍ରେସ ଅପିଲ କରିଛି । ସତ୍ୟ ପାଇଁ ଲଢ଼େଇ ଜୋରଦାର କରିବାକୁ ଆହ୍ବାନ ଦିଆଯାଇଛି । ଗତକାଲି ସାରା ଦେଶରେ କଳା ଦିବସ ପାଳନ କରିଛି କଂଗ୍ରେସ । ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି । ବିରୋଧୀଙ୍କ ପାଟି ଚୁପ୍ କରି ଏକଛତ୍ରବାଦ ଶାସନ କରିବାକୁ ସ୍ବପ୍ନ ଦେଖୁଛି ବିଜେପି । ଯାହା କେବେ ବି ପୂରଣ ହେବ ନାହିଁ ବୋଲି କଂଗ୍ରେସ କହିଛି । ୱାୟାନାଡରେ କଂଗ୍ରେସ ସମର୍ଥକ ଜୋରଦାର ବିରୋଧ କରିଥିବା ବେଳେ ବ୍ୟାରିକେଡ ଭାଙ୍ଗିଥିଲେ ସମର୍ଥକ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା ।

ସୁରଟ କୋର୍ଟଙ୍କ ରାୟ ବେଆଇନ ବୋଲି କହିଥିଲେ କଂଗ୍ରେସ ସମର୍ଥକ । ୨୦୧୯ରେ ଏକ ବୟାନକୁ ନେଇ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ  ଆଦୌ ଗ୍ରହଣୀୟ ନୁହେଁ ବୋଲି କଂଗ୍ରେସ କହିଛି  । ମହାରାଷ୍ଟ୍ର ଓ ଭୋପାଳରେ ମଧ୍ୟ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ ପ୍ରତିବାଦ କରାଯାଇଛି  । ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଗଣତନ୍ତ୍ର ବିରୋଧୀ ବୋଲି କୁହାଯାଇଛି । ପାଟିରେ କଳା କପଡ଼ା ସହ ଚାବି ଲଗାଇ ପ୍ରତିବାଦ କରିଛନ୍ତି । ବିଜେପି ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କଂଗ୍ରେସ ପ୍ରତିବାଦ କରିଛି । ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କଂଗ୍ରେସ ସଦସ୍ୟମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକୁ ଦବେଇବା ପାଇଁ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ପ୍ରୟାସ କରାଯାଇଥିବା କଂଗ୍ରେସ କହିଛି ।