କଂଗ୍ରେସରେ ବିଭାଜନର ଇତିହାସ ପୁରୁଣା, ଜି-୨୩ ପାଇଁ ହେବ ଆଉ ଏକ ବିଭାଜନ ?

1 min read

ନୂଆଦିଲ୍ଲୀ: କଂଗ୍ରେସ ଭିତରେ କଳି । ୨୦୧୯ରେ କମବ୍ୟାକ୍ ଆଶା ମଉଳିବା ପରେ କଂଗ୍ରେସ  ଅନ୍ତଃକଳହ ଅଧିକ ବଢିଛି । ନିର୍ବାଚନରେ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାନ, ନୂଆ ସଭାପତିଙ୍କ ନିର୍ବାଚନରେ ବିଳମ୍ବ ଓ ଅନେକ ପ୍ରସଙ୍ଗକୁ ନେଇ ବରିଷ୍ଠଙ୍କ ମଧ୍ୟରେ ମତଭେଦ କାରଣରୁ ଭାରତୀୟ ରାଜନୀତିର ସବୁଠୁ ପୁରୁଣା ଦଳ ରାଜନୈତିକ ପତିଆରା ହରାଇବାରେ ଲାଗିଛି । ପାଦତଳୁ ରାଜନୈତିକ ମାଟି ଧସିଯିବାର ଦେଖି କିଛି ନେତା ଏବେ ଖୋଲାଖୋଲି ବିଭିନ୍ନ ମଞ୍ଚରୁ ଦଳର ନୀତିକୁ ପ୍ରଶ୍ନ କରିବାରେ ଲାଗିଲେଣି ।

ଏଥିସହ ପଢ଼ନ୍ତୁ- କଂଗ୍ରେସରେ ନୂଆ ନୁହେଁ କନ୍ଦଳ, ଏମିତି ବିଦ୍ରୋହ ଉପରେ କାବୁ ପାଇଛନ୍ତି ଗାନ୍ଧି ପରିବାର

କେବଳ ଏହି କାରଣରୁ କଂଗ୍ରେସ ଭିତରେ ଓ ବାହାରେ ଏବେ ଜି-୨୩କୁ ନେଇ ଚର୍ଚ୍ଚା । କଂଗ୍ରେସ ଭିତରେ ହିଁ କିଛି ନେତାଙ୍କୁ ନେଇ ଗୋଟିଏ ପ୍ରେସର ଗ୍ରୁପ୍ ତିଆରି ହୋଇ ସାରିଲାଣି । ଯେଉଁ ଗ୍ରୁପର ନାମ କରଣ ମିଡିଆ ସୌଜନ୍ୟରୁ ହୋଇଛି ଜି-୨୩ ।

Congress Towards Another Division Named As Group-23

ଗତ କିଛି ଦିନ ଧରି ଜି-୨୩ ନେତା କେବଳ ଦଳର କାର୍ଯ୍ୟଶୈଳୀ, ନୀତି ଓ ନିଷ୍ପତ୍ତିକୁ ପ୍ରଶ୍ନ କରୁନାହାନ୍ତି, ସେମାନେ ମଧ୍ୟ କଂଗ୍ରେସ ମୁକ୍ତ ଭାରତ ଚାହୁଁଥିବା ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଜି-୨୩ ନେତାଙ୍କ ଏଭଳି ବୟାନବାଜି ପୁଣି ଥରେ ସେହି ପୁରୁଣା ପ୍ରଶ୍ନକୁ ବଳ ଦେଉଛି ଯେ, ଏଥର ବି କ’ଣ କଂଗ୍ରେସରେ ହେବ ବିଭାଜନ ?

ଚର୍ଚ୍ଚା ଏବେ ସିଣ୍ଡିକେଟକୁ ନେଇ ହେଉଛି । ସେହି ସିଣ୍ଡିକେଟ୍ ଯାହାପାଇଁ ଗୋଟିଏ ସମୟରେ କଂଗ୍ରେସରେ ହୋଇଥିଲା ବିଭାଜନ । କଂଗ୍ରେସ ଇତିହାସର ଏମିତି ଜଣେ ନେତାଙ୍କୁ ନେଇ ଚର୍ଚ୍ଚା ହେଉଛି ଯାହାଙ୍କ ପାଇଁ ଗୋଟିଏ ସମୟରେ କଂଗ୍ରେସରେ ବିଭାଜନ ହୋଇଥିଲା । ସେହି ନେତା ହେଉଛନ୍ତି ନିଜଲିଙ୍ଗପା । ଜି-୨୩ର କୌଣସି ନେତା ନିଜଲିଙ୍ଗପାଙ୍କ ରାସ୍ତାରେ ଯାଇ ଦଳରେ ବିଭାଜନ କରି ପାରନ୍ତି ବୋଲି କୁହାଯାଉଛି । ତେବେ ଏହି ଚର୍ଚ୍ଚା କାହିଁକି ହେଉଛି ? ଏହା ଜାଣିବାକୁ ହେଲେ ଇତିହାସର ପୃଷ୍ଠା ଲେଉଟାଇବାକୁ ପଡ଼ିବ । ସମୟରେ ପଛକୁ ଫେରିବାକୁ ପଡ଼ିବ । ତେବେ ଆସନ୍ତୁ ଯିବା ଟାଇମ୍ ଟ୍ରାଭେଲରେ…

Congress Towards Another Division Named As Group-23

୫୨ ବର୍ଷ ତଳେ କଂଗ୍ରେସର ବିଭାଜନ ହୋଇଥିଲା । ତାରିଖ ଥିଲା ନଭେମ୍ଭର ୧୨, ୧୯୬୯ । କଂଗ୍ରେସରେ ସେତେବେଳ ଶକ୍ତିଶାଳୀ ଥିବା ସିଣ୍ଡିକେଟ୍ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦଳରୁ ନିଷ୍କାସିତ କରିଥିଲା । ତେବେ ଏହା ଗୋଟିଏ ଦିନରେ ଘଟିନଥିଲା । ଇନ୍ଦିରାଙ୍କୁ ଦଳରୁ ବିତାଡ଼ିତ କରିବା ଓ ବିଭାଜନର ଆରମ୍ଭ ବର୍ଷକ ପୂର୍ବରୁ ହୋଇଥିଲା । ଇନ୍ଦିରାଙ୍କ ବିରୋଧରେ ସିଣ୍ଡିକେଟର ନେତା ମାନେ ବର୍ଷକ ତଳୁ ମେଳି ଆରମ୍ଭ କରିଥିଲେ । ତେବେ ୧୯୬୯ ମସିହାର ରାଷ୍ଟ୍ରପତି ନିର୍ବାଚନ କାଳରେ ଏହା ଅଚାନକ ସାମ୍ନାକୁ ଆସିଥିଲା ଓ ଦଳ ବିଭାଜିତ ହୋଇଥିଲା ।

Congress Towards Another Division Named As Group-23

୧୯୬୯ରେ ରାଷ୍ଚ୍ରପତି ଜାକିର ହୁସେନଙ୍କ ହୃଦଘାତ  କାରଣରୁ ମୃତ୍ୟୁ ହୋଇଥିଲା । ଇନ୍ଦିରା ଚାହୁଁଥିଲେ ଉପ ରାଷ୍ଟ୍ରପତି ଭି.ଭି ଗିରିଙ୍କୁ ରାଷ୍ଟ୍ରପତି କରାଯାଉ । କିନ୍ତୁ ସିଣ୍ଡିକେଟ୍ ରାଷ୍ଟ୍ରପତି ନିର୍ବାଚନରେ ଇନ୍ଦିରାଙ୍କ ହସ୍ତକ୍ଷେପକୁ ପସନ୍ଦ କରୁନଥିଲା । ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ଥିଲେ ନିଜଲିଙ୍ଗପା । ନିଜଲିଙ୍ଗପା ମୋରାରଜି ଦେଶାଇଙ୍କୁ ରାଷ୍ଟ୍ରପତି କରିବାକୁ ଚାହୁଁଥିଲେ । କିନ୍ତୁ ମୋରାରଜୀ ରାଜି ନଥିଲେ । ଅନ୍ୟପକ୍ଷରେ କାମରାଜ ରାଜନୈତିକ ଚାଲ ଖେଳିଥିଲେ । ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ସେ ତାଙ୍କୁ ହିଁ ରାଷ୍ଚ୍ରପତି ହେବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଇନ୍ଦିରା ଏହି ଚାଲକୁ ବୁଝି ପାରିଥିଲେ । ସେ ରାଷ୍ଟ୍ରପତି ହେବା ପାଇଁ ସିଣ୍ଡିକେଟର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ । ସିଣ୍ଡିକେଟ୍ ଏଭଳି ପରିସ୍ଥିତିରେ ନିଲମ ସଞ୍ଜୀବ ରେଡ୍ଡିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ।

ସିଣ୍ଡିକେଟ୍ ବନାମ ଇଣ୍ଡିକେଟ୍

ନିଲମଙ୍କ ନାମ ଘୋଷଣା ସହିତ କଂଗ୍ରେସର ସିଣ୍ଡିକେଟ୍ ଓ ଇନ୍ଦିରା ମୁହାଁମୁହିଁ ହୋଇଥିଲେ । ଇନ୍ଦିରା ଭି.ଭି ଗିରିଙ୍କୁ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ରାଜି କରାଇଥିଲେ । ଭି.ଭି ଗିରି ଘୋଷଣା କଲେ ଯେ, ଦଳ ଯଦି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନକରେ ତେବେ ସେ ସ୍ୱାଧୀନ ଭାବେ ଲଢିବେ । ଏହି ସମୟରେ କଂଗ୍ରେସରେ ଇନ୍ଦିରା ବିରୋଧି ସିଣ୍ଡିକେଟ୍ ଓ ଇନ୍ଦିରା ସମର୍ଥକ ଇଣ୍ଡିକେଟ୍ ନାମରେ ପରିଚିତ ଥିଲେ ।

Congress Towards Another Division Named As Group-23
ଇନ୍ଦିରା କଂଗ୍ରେସ ସଦସ୍ୟଙ୍କୁ ବିବେକ ଅନୁସାରେ ଭୋଟ୍ ଦେବାକୁ କହିଥିଲେ । ନିଲମ ଓ ଭିଭିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । ତେବେ ଶେଷରେ ଭି.ଭି ଗିରି ବିଜୟୀ ହୋଇଥିଲେ । କିନ୍ତୁ ଝଗଡ଼ା ଏତିକିରେ ସରିନଥିଲା । ରାଷ୍ଟ୍ରପତି ନିର୍ବାଚନର କିଛି ଦିନ ପରେ କଂଗ୍ରେସ କାର୍ଯ୍ୟ ସମିତିର ଦୁଇଟି ସମାନ୍ତରାଳ ବୈଠକ ଅନୁଷ୍ଠିତ ହୋଇଥିଲା ।  ଗୋଟିଏ ବୈଠକ କଂଗ୍ରେସ ମୁଖ୍ୟାଳୟରେ ଓ ଅନ୍ୟଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିଲା । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ନିଜଲିଙ୍ଗପା ଇନ୍ଦିରାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଆଉ ଏହା ସହିତ କଂଗ୍ରେସରେ ହୋଇଥିଲା ଅପୌଚାରିକ ବିଭାଜନ ।

ପୁଣିଥରେ ସିଣ୍ଡିକେଟ୍ ଚର୍ଚ୍ଚା

କଂଗ୍ରେସରେ ପୁଣିଥରେ ପୁରୁଣା ଦିନର ଚର୍ଚ୍ଚା ହେଉଛି । ଦଳର ଅନେକ ନେତାଙ୍କ ସ୍ୱରରୁ ବିଦ୍ରୋହର ଗନ୍ଧ ଆସୁଛି । ବିଦ୍ରୋହ କୁହନ୍ତୁ କିମ୍ବା ଅସନ୍ତୋଷ, ଏହାର ଆରମ୍ଭ ତ’ ୨୦୧୯ ନିର୍ବାଚନ ପରଠାରୁ ହୋଇ ସାରିଥିଲା । କିନ୍ତୁ ମାମଲା ସେତେବେଳେ ଜୋର ଧରିଲା ଯେତେବେଳେ ଜି-୨୩ ନେତା ଅନେକ ପ୍ରସଙ୍ଗକୁ ନେଇ ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ । ପତ୍ରରେ ସେମାନେ ଦଳର ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହା ସହିତ ସେମାନ ବଡ଼ ଧରଣର ପରିବର୍ତ୍ତନ ମଧ୍ୟ ଦାବି କରିଥିଲେ । ଗୁଲାମ ନବି ଆଜାଦ, କପିଲ ସିବ୍ବଲ, ଆନନ୍ଦ ଶର୍ମା, ମନିଶ ଶର୍ମାଙ୍କ ବଳି ନେତା ଏହି ଗ୍ରୁପରେ ସାମିଲ ଅଛନ୍ତି । ସୋନିଆଙ୍କୁ ପ୍ରଥମ ପତ୍ର ପରେ ଏହି ଗ୍ରୁପ୍ ଅଧିକ ସକ୍ରିୟ ହୋଇଥିଲା । ବିଶେଷକରି ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜି-୨୩ ବା ସିଣ୍ଡିକେଟ୍ ଏବେ ଅଧିକ ସକ୍ରିୟ ହୋଇଛି । ପଶ୍ଚିମବଙ୍ଗ ନିର୍ବାଚନରେ କଂଗ୍ରେସ ଓ ଆଇଏସଏଫ୍ ମଧ୍ୟରେ ମେଣ୍ଟର ଔଚିତ୍ୟକୁ ମଧ୍ୟ ଏହି ନେତା ମାନେ ପ୍ରଶ୍ନ କରୁଛନ୍ତି ।

Congress Towards Another Division Named As Group-23

୫ ରାଜ୍ୟ ନିର୍ବାଚନ ଉପରେ ରହିବ ନଜର

ନିର୍ବାଚନର ଠିକ ପୂର୍ବରୁ ଜମ୍ମୁରେ ଜି-୨୩ ଶକ୍ତି ପ୍ରଦର୍ଶନ କରିଛି । ଖୁବଶୀଘ୍ର ସେମାନେ ହରିଆନାରେ ଆଉ ଏକ ସମ୍ମିଳନୀ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ କଂଗ୍ରେସ ହାଇକମାଣ୍ଡ୍ ଜମ୍ମୁ ଏପିସୋଡ୍ ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି । କି ସ୍ପଷ୍ଟୀକରଣ ମାଗି ନାହାନ୍ତି । ଆଉ ଏସବୁ ଭିତରେ ବିଭିନ୍ନ ରାଜ୍ୟ ବୁଲିବାକୁ ଜି-୨୩ ନେତା ନିଜ ଆପଏଣ୍ଟମେଣ୍ଟ୍ ବୁକ୍ କରିଚାଲିଛନ୍ତି । ଯଦି ନିଜଲିଙ୍ଗପାଙ୍କ ଭଳି ଜି-୨୩ର କୌଣସି ନେତା ଆଗକୁ ବଢନ୍ତି ତେବେ ଦଳ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହେବ । ୫ ରାଜ୍ୟରେ ଯଦି କଂଗ୍ରେସ ପ୍ରଦର୍ଶନ ଭଲ ନହୁଏ ତେବେ ଜି-୨୩ର ଚାପ ଅଧିକ ବଢିବ । ଆଗରୁ କଂଗ୍ରେସରେ ଅନେକ ଥର ବିଭାଜନ ହୋଇଛି । କିନ୍ତୁ ଏଥର ସମସ୍ୟା ବିକଟାଳ । କାରଣ ଅନେକ ରାଜ୍ୟରେ କଂଗ୍ରେସ ସରକାର ନାହିଁ । ଏମିତିରେ ଯଦି କଂଗ୍ରେସରେ ପୁଣି ଗୋଟିଏ ବିଭାଜନ ହୁଏ,ତେବେ ଦଳ ଏଥିରୁ ଉବୁରିବା କାଠିକର ପାଠ ହେବ । ଏହା ସହିତ ବିଭାଜନ ଦଳ ଉପରେ ଗାନ୍ଧୀ ନେହେରୁ ପରିବାରର ଦଖଲ ନାହିଁ ବୋଲି ଜଣା ପଡ଼ିଯିବ ।

Leave a Reply