ଦିଲ୍ଲୀ ବିମାନବନ୍ଦରରେ କଂଗ୍ରେସ ନେତା ପଓ୍ବନ ଖେରା ଗିରଫ, ଖେରାଙ୍କୁ ଗିରଫ କଲା ଆସାମ ପୋଲିସ

1 min read

ନୂଆଦିଲ୍ଲୀ: ପୁଣି ଗଣତନ୍ତ୍ର ଉପରେ ଆକ୍ରମଣ । କଂଗ୍ରେସ ପ୍ଲେନାରି ସେସନକୁ ଯିବାବେଳେ ଦିଲ୍ଲୀରେ ଗିରଫ ହେଲେ କଂଗ୍ରେସର ବରିଷ୍ଠ ନେତା ତଥା ମିଡିଆ ଇନ ଚାର୍ଜ ପଓ୍ବନ ଖେରା । ଖେରାଙ୍କୁ ଗିରଫ କରିଛି ଆସାମ ପୋଲିସ । ଆସାମର ଦିମା ହାସାଓ ଜିଲ୍ଲା ଅନ୍ତର୍ଗତ ହାଫଲଙ୍ଗ ପୋଲିସ ଷ୍ଟେସନରେ ଖେରାଙ୍କ ନାମରେ ଏକ ମାମଲା ରହିଛି ବୋଲି କହିଛନ୍ତି ଆସାମ ପୋଲିସ ଆଇଜି ପ୍ରଶାନ୍ତ ଭୂୟାଁ ।

ଆଜି ଦିଲ୍ଲୀରୁ ଛତିଶଗଡ଼ ଯିବା ଲାଗି କଂଗ୍ରେସ ନେତା ତଥା ମିଡିଆ ଇନ-ଚାର୍ଜ ପଓ୍ବନ ଖେରାଙ୍କୁ ଅନୁମତି ଦିଆଯାଇ ନଥିଲା । ପ୍ରତିବାଦରେ ଦିଲ୍ଲୀ ବିମାନ ବନ୍ଦରରେ କଂଗ୍ରେସ କର୍ମୀ ହଙ୍ଗାମା କରିଥିଲେ । ଇଣ୍ଡିଗୋ ଏୟାରଲାଇନ୍ସ କହିଛି- ଖେରାଙ୍କୁ ନ ନେବା ଲାଗି ନିର୍ଦ୍ଦେଶ ଆସିବା ପରେ ତାଙ୍କୁ ବିମାନରେ ନିଆଯାଇନାହିଁ । ସେପଟେ ରାୟପୁରରେ କଂଗ୍ରେସ ପ୍ଲେନାରୀ ସେସନକୁ ଯିବା ଲାଗି ପଓ୍ବନ ଖେରାଙ୍କୁ ଅନୁମତି ଦିଆନଯିବାକୁ ନେଇ ରାଜନୀତି ବଢିଛି । ଏହି ଘଟଣା ପରେ ଖେରା କହିଛନ୍ତି- ପ୍ରଥମେ ଜଣେ ଡିସିପି ଆସି ଲଗେଜ ସମ୍ପର୍କରେ ଟିପ୍ପଣୀ ଦେଇଥିଲେ । ପରେ ସେ ରାୟପୁର ଯାଇପାରିବେ ନାହିଁ ବୋଲି ଅଫିସର କହିଥିଲେ ।

ଏହି ବିମାନରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ, ସାଧାରଣ ସମ୍ପାଦକ ରଣଦୀପ ସୂର୍ଯେଓ୍ବାଲା ପ୍ରମୁଖ ରାୟପୁର ଯିବାର ଥିଲା । ଗତ ଫେବ୍ରୁଆରୀ ୧୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଖେରା ଏକ ଟିପ୍ପଣୀ ଦେବାକୁ ନେଇ ତାଙ୍କ ନାମରେ ଉତ୍ତରପ୍ରଦେଶ ହାଜରତଗଞ୍ଜ ଥାନାରେ ଏକ ମାମଲା ଦାୟର ହୋଇଥିଲା ।