ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପରେ ବିଜେପି ବିରୋଧରେ ରଣହୁଙ୍କାର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପରେ ବିଜେପି ବିରୋଧରେ କଂଗ୍ରେସର ରଣହୁଙ୍କାର । ରାହୁଲ ଗାନ୍ଧୀଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ଦେଶରେ ଗଣତନ୍ତ୍ର ବଞ୍ଚାଅ ଅଭିଯାନ କରାଯିବ । ଗତକାଲି ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ କରିଥିଲେ । ଗୁରୁବାର ସୁରଟ କୋର୍ଟ ତାଙ୍କୁ ମାନହାନୀ ମାମଲାରେ ୨ ବର୍ଷ ଜେଲଦଣ୍ଡ ଶୁଣାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । କଂଗ୍ରେସ ଏହାକୁ ଗଣତନ୍ତ୍ର ହତ୍ୟା କହି କେନ୍ଦ୍ର ଓ ବିଜେପି ଉପରେ ବର୍ଷିଛି । ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ଗତକାଲି ସନ୍ଧ୍ୟାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପି ଚିଦାମ୍ବରମଙ୍କ ସମେତ ବରିଷ୍ଠ ନେତା ଓ ସାଂସଦମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ କଂଗ୍ରେସ ସମଗ୍ର ଦେଶରେ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦକୁ ନେଇ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା କରିଛୁ । ଆଇନଗତ ରଣନୀତି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଆଗାମୀ ଦିନରେ ପୂରା ଦେଶରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ବିରୋଧୀ କଂଗ୍ରେସକୁ ସମର୍ଥନ କରିଥିବାରୁ ଏହାକୁ ଦଳ ସ୍ୱାଗତ କରିଛି । ରାହୁଲ ଗାନ୍ଧୀଙ୍କୁ ସମସ୍ତ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ସମେତ ଆଞ୍ଚଳିକ ଦଳର ନେତାମାନେ ସମର୍ଥନ କରିଛନ୍ତି । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଉଦ୍ଧବ ଠାକରେ, ଏମକେ ଷ୍ଟାଲିନ, କେସିଆର ଓ ଅଖିଳେଶ ଯାଦବଙ୍କ ଭଳି ନେତାମାନେ ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କୁ ବିରୋଧ କରିଛନ୍ତି । ବିଜେପି ସରକାର ଏକଛତ୍ରବାଦୀ ଶାସନ ଚଳାଇଥିବା ସେମାନେ କହିଛନ୍ତି ।