୬ ବର୍ଷର ଆଇନ୍ ଯୁଦ୍ଧ ଲଢ଼ି ୫ IAS ଅଧିକାରୀଙ୍କୁ ଜେଲକୁ ପଠାଇଲେ ବୃଦ୍ଧା

Contempt Of Court Order, 5 IAS Officer Sentenced To Jail

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କାର୍ଯ୍ୟରତ ୪ ଜଣ ଆଇଏଏସ୍ ଅଧିକାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜେଲ୍ ଦଣ୍ଡାଦେଶ ସହ ଜରିମାନା ଲଗାଇଛନ୍ତି ହାଇକୋର୍ଟ । ଜଣେ ୬୨ ବର୍ଷୀୟା କୃଷକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି । ବୃଦ୍ଧା ଜଣଙ୍କ ୬ ବର୍ଷ ଧରି ନିଜ ହକ୍ ପାଇଁ ଆଇନଗତ ଲଢ଼େଇ ଲଢ଼ୁଥିଲେ ।

ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଅଧିକାରୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଏବଂ ଏସପିଏସ୍ ନେଲ୍ଲୋର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ରେବୁ ମୃତ୍ୟାଲା ରାଜୁ, ପୂର୍ବତନ ଜିଲ୍ଲାପାଳ ଏମବି ଶେଷଗିରି ବାବୁ, ଏସପିଏସ୍ ନେଲୋର ଜିଲ୍ଲାର ଜିଲ୍ଲାପାଳ କେବିଏନ୍ ଚକ୍ରଧର, ପ୍ରମୁଖ ଅର୍ଥ ସଚିବ ରମଶେର ସିଂହ ରାୱତ ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ମନମୋହନ ସିଂହ ରହିଛନ୍ତି ।

ମନମୋହନ ସିଂହଙ୍କୁ କୋର୍ଟ ଏକ ହଜାର ଟଙ୍କା ଜରିମାନା କରିବା ସହ ୪ ସପ୍ତାହ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ରାଜୁଙ୍କୁ ଦୁଇ ସପ୍ତାହ ଜେଲ୍ ସହ ୧ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ରାୱତଙ୍କୁ ୨ ହଜାର ଟଙ୍କା ଜରିମାନା ସହ ମାସେ ଜେଲ ଦଣ୍ଡ ହୋଇଛି । ବାବୁ ଓ ଚକ୍ରଧରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ହାଇକୋର୍ଟ ।

ଏସପିଏସ୍ ନେଲ୍ଲୋର ଜିଲ୍ଲାର ୬୨ ବର୍ଷୀୟା ଚାଷୀ ସବିଥ୍ରମ୍ମା ଏକ ଅବମାନନା ମାମଲା ଦାଏର କରିଥିଲେ । ସବିଥ୍ରମ୍ମାଙ୍କ ନାଁରେ ପଟ୍ଟା ଥିବାବେଳେ ୨୦୧୫ରେ ରାଜସ୍ୱ ଅଧିକାରୀ ଜମି ନେଇ କ୍ଷତିପୂରଣ ଦେଇନଥିଲେ । ମହିଳା କୃଷକ ଏନେଇ ଲୋକୟୁକ୍ତଙ୍କ ସହ ହାଇକୋର୍ଟରେ ଅବମାନନା ମାମଲା ଦାଏର କରିଥିଲେ । ଏହା ପରେ ଚଳିତ ମାର୍ଚ୍ଚରେ ତାଙ୍କୁ କ୍ଷତିପୂରଣ ରାଶି ମିଳିଥିଲା ।

Leave a Reply