ନୂଆଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାର ଘାତ କରିଛି ନୂଆଦିଲ୍ଲୀ କମଳାନଗରରେ ଆୟୋଜିତ ଅଦିନିଆ ରଥଯାତ୍ରା । ଏପରି ରଥଯାତ୍ରାର ଆୟୋଜନ କରୁଥିବା ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଶ୍ରୀମନ୍ଦିର ରୀତିନୀତିକୁ ଉଲ୍ଲଂଘନ କରି ମନଇଚ୍ଛା ରଥଯାତ୍ରା କରାଯିବା ଘଟଣା ଓଡ଼ିଆ ଅସ୍ମିତାକୁ କୁଠାରଘାତ କରିଛି । ଡବଲ ଇଞ୍ଜିନ ସରକାରରେ ଏପରି ଭୁଲକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀର ଜନପ୍ରତିନିଧି । ଅନ୍ୟପଟେ ମହାପ୍ରଭୁଙ୍କୁ ନେଇ ଏଭଳି ଧର୍ମ ବିରୋଧୀ ଖେଳ ଖେଳାଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ରଖିଛନ୍ତି ସେବାୟତ ।

ରବିବାର ସନ୍ଧ୍ୟାରେ ଗଜପତି ମହାରାଜା ବିଭିନ୍ନ ସମୟରେ ହେଉଥିବା ଅଦିନିଆ ରଥଯାତ୍ରା ନେଇ ପ୍ରତିକ୍ରିୟା ରଖିଥିବା ବେଳେ ସେହିଦିନ ନୂଆଦିଲ୍ଲୀରେ ଅଦିନରେ ରଥଯାତ୍ରା ଆୟୋଜନ ହୋଇଥିଲା । ଏଭଳି ଏକ ସାଂଘାତିକ ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ, ଐତିହ୍ୟ କ୍ଷେତ୍ର ପୁରୀରେ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦିଲ୍ଲୀର କମଳାନଗରରେ ଗତକାଲି ଅଦିନରେ ରଥଯାତ୍ରା ହୋଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁ ଏବେ ଅଣସର ଘରୁ ବାହାରି ନଥିବା ବେଳେ ଦିଲ୍ଲୀରେ ଅସମୟରେ କିଭଳି ରଥଯାତ୍ରାର ଆୟୋଜନ କରାଗଲା ତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ । ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା ଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ରଥଯାତ୍ରା ପାଳନ କରିବା ଏକ ଅପସଂସ୍କୃତି ବୋଲି କହିଛନ୍ତି ସେବାୟତ ଓ ସଂସ୍କୃତି ବିଶେଷଜ୍ଞ । ଏଭଳି ରଥଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ବାବସୁ ସେବକ ଦାବି କରିଛନ୍ତି ।

ହିନ୍ଦୁ ଧର୍ମରେ ମହାପ୍ରଭୁଙ୍କୁ ନେଇ ଅସମ୍ମାନ ଗ୍ରହଣୀୟ ନୁହେଁ । ବିଜେପି ସରକାର ହିନ୍ଦୁ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ଶାସ୍ତ୍ରୀୟ ମତ ଅନୁସାରେ, ରଥଯାତ୍ରା ସମୟ ଅନୁସାରେ ନହେଲେ ଦେଶ ଓ ରାଜ୍ୟ ଉପରେ ବିପଦ ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଚେତାଇ ଦେଇଛନ୍ତି ସଂସ୍କୃତି ବିଶେଷଜ୍ଞ । ଅଦିନିଆ ରଥଯାତ୍ରା ଧାର୍ମିକ ବ୍ୟବସ୍ଥା ଓ ଭାବନା ଉପରେ ଆଞ୍ଚ ଆଣିଥିବା ବେଳେ, ଏହା କେବେ ବି କ୍ଷମଣୀୟ ନୁହେଁ । ଏଥିସହ ଓଡ଼ିଆ ଅସ୍ମିତାକୁ ନେଇ ଡିଣ୍ଡିମ ପିଟୁଥିବା ବିଜେପି ରାଜ୍ୟର ଅସ୍ମିତାକୁ ମାଟିରେ ମିଶାଇ ଦେଇଛି ବୋଲି ଅଭିଯୋଗ କରିଛନ୍ତି ପୁରୀ ଜନପ୍ରତିନିଧି ।

ପୂର୍ବରୁ ମଧ୍ୟ ଦେଶ ବିଦେଶରେ ଅଦିନିଆ ରଥଯାତ୍ରାକୁ ନେଇ ଆପତ୍ତି ଉଠାଇଥିଲେ ଶ୍ରୀଜଗନ୍ନାଥ ପ୍ରେମୀ । ଖୋଦ ଗଜପତି ମହାରାଜ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି । ହେଲେ ଏବେ ବି କିଛି ଅନୁଷ୍ଠାନ ଅଦିନରେ ରଥଯାତ୍ରାର ଆୟୋଜନ କରୁଛନ୍ତି ।