କରୋନା ନେଇ ହେବ ବିରୋଧୀଙ୍କ ବଡ଼ ବୈଠକ, ମମତା-ଉଦ୍ଧବଙ୍କ ସମେତ ୧୫ଟି ଦଳର ନେତା ହେବେ ସାମିଲ…

ନୂଆଦିଲ୍ଲୀ: କରୋନା ପାଇଁ ବିରୋଧୀଙ୍କ ବାଣର ବାରମ୍ବାର ଶିକାର ହେଉଛି କେନ୍ଦ୍ର । ଶୁକ୍ରବାର ଅପରାହ୍ନ ୩ ଟାରେ କରୋନା ସଙ୍କଟ ଉପରେ ବିରୋଧୀଦଳର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଏନସିପି ନେତା ଶରଦ ପାୱାର, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ୧୫ ଟି ରାଜନୈତିକ ଦଳ ଯୋଗଦେବେ।

ତେବେ କଂଗ୍ରେସର କୌଣସି ପ୍ରତିନିଧୀ ଏହି ବୈଠକରେ ଅଂଶଗ୍ରହଣ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ ଏହି ବୈଠକରେ ମୋଦୀ ସରକାରଙ୍କ କରୋନା ଏବଂ ଲକଡାଉନ ନେଇ ପଦକ୍ଷେପ ଗ୍ରହଣ କରାଯିବ ଏବଂ ରାଜ୍ୟ ସରକାରଙ୍କ ସହ ସରକାରଙ୍କ ଆଚରଣ ବିଷୟରେ ଆଲୋଚନା ହେବ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ବୈଠକରେ ସିଏମ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଭେଦଭାବ ଅଭିଯୋଗ କରିଛନ୍ତି ଏବଂ କହିଛନ୍ତି ଯେ ଏଭଳି ସମୟରେ କେନ୍ଦ୍ର ରାଜନୀତି କରିବା ଉଚିତ ନୁହେଁ । ସେ କହିଛନ୍ତି ଯେ କରୋନା ବିରୋଧରେ ଲଢ଼େଇରେ ରାଜ୍ୟ ଭଲ କାମ କରୁଛି ।

ଏହାପୂର୍ବରୁ ୨୬ ଏପ୍ରିଲରେ ସିଏମ୍ ଉଦ୍ଧବ ଠାକରେ କେନ୍ଦ୍ରକୁ ଟାର୍ଗେଟ କରି କହିଥିଲେ ଯେ ଆମେ କେନ୍ଦ୍ରରୁ ଡାଲି ମାଗିଥିଲୁ । କାରଣ ଆମ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଲୋକଙ୍କୁ ଖାଦ୍ୟ ଶସ୍ୟ ଦେଇଥାଉ । କିନ୍ତୁ ଆମକୁ କେବଳ ଚାଉଳହିଁ ମଳିଛି । ସେଥିପାଇଁ ଆମେ ଡାଲି ଏବଂ ଗହମ ଦାବି କରିଛୁ ଯାହା ଏପର୍ଯ୍ୟନ୍ତ ପାଇନାହୁଁ  ।

ତେବେ କେନ୍ଦ୍ରକୁ ଘେରିବା ପାଇଁ ମମତା ବାନାର୍ଜୀ, ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳର ନେତା ଏହି ସବୁ ପ୍ରସଙ୍ଗରେ ନିଜର ରଣନୀତି ପ୍ରସ୍ତୁତ କରିବେ। ଏଥିସହ ରାଜ୍ୟଗୁଡ଼ିକରୁ କେନ୍ଦ୍ର ଦାବି କରୁଥିବା ରିଲିଫ୍ ପ୍ୟାକେଜ୍ ଉପରେ ମଧ୍ୟ ଆଲୋଚନା କରାଯାଇପାରିବ। ରାଜ୍ୟଗୁଡ଼ିକ ପାଇଁ ଏପର୍ଯ୍ୟନ୍ତ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇ ନାହିଁ ।

Leave a Reply