ଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଗିରଫ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଦୁଇ ଦିନିଆ ରିମାଣ୍ଡରେ ନେବ । ଏଥିପାଇଁ କୋର୍ଟ ଅନୁମତି ପ୍ରଦାନ କରିସାରିଛନ୍ତି ।

ସୂଚନା ଅନୁଯାୟୀ, ଜାଲ ନିଯୁକ୍ତି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ବିଧିବଦ୍ଧ ଭାବେ କ୍ରାଇମବ୍ରାଞ୍ଚ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିସାରିଛନ୍ତି । ଟାଟା ମୋଟର୍ସରେ ଚାକିରୀ କରେଇ ଦେବା ପାଇଁ କହି ଲୋକଙ୍କଠୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ଭାବି ଜାମାତା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଅଛନ୍ତି ଓ ସେ ଚାକିରୀ କରାଇ ଦେବେ ବୋଲି କହି ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି ।

ଗଞ୍ଜାମ ଜିଲ୍ଲାର ପାଖାପାଖି ୬୮ ଜଣଙ୍କୁ ଜାଲ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଏଥିସହିତ ଆକାଶ ପାଠକ ଟାଟା ମୋଟର୍ସର ଏମଡ଼ି ବୋଲି ମିଛ ପ୍ରଚାର କରି ଏଭଳି ଜାଲ ନିଯୁକ୍ତି ଦେଇଥିବା ମଧ୍ୟ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଏହି ଜାଲ କାରବାରରେ ପ୍ରଦୀପ ଦଲାଲି କରିଥିବା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା ।

ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ଏହି ବଡ ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଯାହାପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ପରେ ପରେ କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ସ୍ଥିର ହୋଇଥିଲା । ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ହୋଇଥାନ୍ତା । ଡିସେମ୍ବର ୧୫ ତାରିଖ ଅର୍ଥାତ ଆଜି ସେମାନଙ୍କ ରିସେପସନ୍ ପାର୍ଟି ଅନୁଷ୍ଠିତ ହୋଇଥାନ୍ତା । ତା ପୂର୍ବରୁ ଅଭୟକାନ୍ତ, ଆକାଶ ଓ ପ୍ରଦୀପଙ୍କୁ ଗିରଫ କରାଯାଇଛି ।

ସେହିଭଳି ଠକେଇ ମାମଲାରେ ଆକାଶ ପାଠକଙ୍କ ପିଏସ ଡେଭିଡ ପିଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରି ବ୍ୟାପକ ତଥ୍ୟ ହାସଲ କରିଛି । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ୫ ଦନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଆଜି ଆକାଶ ପାଠକଙ୍କ ରିମାଣ୍ଡ ସରୁଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଉଛି । ଏହି ରିମାଣ୍ଡ ସମୟରେ ଠକେଇ ସମ୍ପର୍କିତ ସବୁ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିବ ବୋଲି ସୂଚନା ମିଳିଛି।

Leave a Reply