ଜବରଦଖଲକାରୀଙ୍କ କବଜାରେ କଟକ ବକ୍ସ ଡ୍ରେନ୍ ରାସ୍ତା

କଟକ: ଜବରଦଖଲକାରୀଙ୍କ କବଜାରେ କଟକ ବକ୍ସ ଡ୍ରେନ୍ ରାସ୍ତା । ସହରବାସୀଙ୍କ ଦୀର୍ଘ ଦିନର ସମସ୍ଯାକୁ ଦୂର କରିବାକୁ ରାଜ୍ଯ ସରକାର ଏହାକୁ ନିର୍ମାଣ କରିଛନ୍ତି । ହେଲେ ଲୋକାର୍ପଣର ଦିନ କେଇଟା ନପୁରୁଣୁ ଏହାକୁ ଜବରଦଖଲ କଲେଣି ଲୋକ । ପ୍ରଶାସନିକ ଅବହେଳାରୁ ଏବେ ଏଥିପାଇଁ ଟ୍ରାଫିକ ସମସ୍ଯା ଦେଖାଦେଲାଣି । ସେପଟେ ଏନେଇ ଅଭିଯୋଗ ପରେ କଡ଼ା କାର୍ଯ୍ଯାନୁଷ୍ଠାନ ନେଇ ସଙ୍କେତ ଦେଇଛନ୍ତି ସିଏମସି କମିଶନର ।

କେଉଁଠି ବାଲି, ଗୋଡ଼ି ଗଦା ହୋଇଛି ତ କେଉଁଠି ସିମେଣ୍ଟ । କିଛି ସ୍ଥାନରେ ଉଠା ଦୋକାନୀ ମାଡ଼ି ବସିଛନ୍ତି ରାସ୍ତା । ବକ୍ସ ଡ୍ରେନ ରାସ୍ତା ଉପରକୁ ମାଡ଼ି ଆସିଲେଣି ଲୋକ । କିଛି ଏହାକୁ ଗାଈ ଗୁହାଳ କରି ସାରିଲେଣି । ପ୍ରଶାସନିକ ଅବହେଳାର ଫାଇଦା ଉଠାଉଛନ୍ତି ଜବରଦଖଲକାରୀ । କଟକର ଦୀର୍ଘଦିନର ସମସ୍ଯାକୁ ଦେଖି ନିର୍ମାଣ ହୋଇଛି ବକ୍ସ ଡ୍ରେନ୍ । ଏହା ଉପର ରାସ୍ତା ଦେଇ ଯାତାୟାତର ମଧ୍ଯ ବ୍ଯବସ୍ଥା କରାଯାଇଛି । ତେବେ ଲୋକାର୍ପଣର ଦିନକେଇନା ନପୁରୁଣୁ ଏହାକୁ ଜବରଦଖଲ କରି ସାରିଲେଣି ଲୋକ । ଏଥିପାଇଁ ଉତ୍କଟ ଟ୍ରାଫିକ ସମସ୍ଯା ସୃଷ୍ଟି ହେଲାଣି ।

କଟକ ସହରର ଟ୍ରାଫିକ ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର 450 କୋଟି ବ୍ୟୟ କରି ଏହି ମେଗା ପ୍ରକଳ୍ପର ଲୋକଙ୍କୁ ଭେଟି ଦେଇଛନ୍ତି । ଏଥିପାଇଁ ସହରବାସୀଙ୍କୁ ଦୀର୍ଘ ଦିନ ଅପେକ୍ଷା ଓ ବହୁ କଷ୍ଟ ମଧ୍ୟ ସ୍ୱୀକାର କରିବାକୁ ପଡିଛି । କିନ୍ତୁ କିଛି ନ୍ୟସ୍ତସ୍ୟାର୍ଥ ବ୍ୟକ୍ତି ଏବେ ନିଜର ଫାଇଦା ପାଇଁ ଏହାକୁ ନିଜ କବଜାକୁ ନେଇସାରିଲେଣି । ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଜବରଦଖଲ ମୁକ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏପରି ସ୍ଥିତିରେ କଡ଼ା କାର୍ଯ୍ଯାନୁଷ୍ଠାନର ଆବଶ୍ଯକତା ରହିଛି । ସମସ୍ଯା ନେଇ ଅବଗତ ହେବା ପରେ ଆବଶ୍ଯକସ୍ଥଳେ ଜବରଦଖଲକାରୀଙ୍କ ବିରୋଧରେ ଏତଲା ଦିଆଯିବ ବୋଲି କହିଛନ୍ତି ସିଏମସି ଡେପୁଟି କମିଶନର। ସହରବାସୀଙ୍କ ସୁବିଧା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି, କିନ୍ତୁ କିଛି ବ୍ୟକ୍ତିଙ୍କ ଏପରି କାରବାର ପୁରା ପ୍ରକଳ୍ପକୁ ପଙ୍ଗୁ କରିଦେଉଛି ।