ବଦଳିଛି କଟକର ପୁରୁଣା ଛତ୍ରବଜାରର ଚେହେରା

କଟକ: ବଦଳିଛି କଟକର ପୁରୁଣା ଛତ୍ରବଜାରର ଚେହେରା । ରାଜ୍ୟ ସରକାରଙ୍କ ସହଯୋଗରେ ଦୀର୍ଘବର୍ଷ ଧରି ଖୋଲା ଆକାଶ ତଳେ ବସୁଥିବା ବ୍ୟବସାୟୀଙ୍କୁ ମିଳିଛି ସ୍ଥାୟୀ ପିଣ୍ଡି । ଆଉ ଖରା ବର୍ଷାରେ ନବସି ନିଜ ପିଣ୍ଡିରେ ବ୍ୟବସାୟ କରୁଛନ୍ତି ବେପାରୀ । ବ୍ୟବସାୟୀଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । କିନ୍ତୁ କିଛି ବ୍ୟବସାୟୀ ପିଣ୍ଡି ଛାଡ଼ି ବାହାରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ରାସ୍ତା କଡ଼ରେ ବସି ଆବର୍ଜନା ସୃଷ୍ଟି କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର ।

କଟକର ସର୍ବ ପୂରାତନ ମାର୍କେଟ ଛତ୍ରବଜାର । ଯେଉଁଠି ଖରାତରାରେ ବସି ବ୍ୟବସାୟୀ ସେମାନଙ୍କ ବେପାର କରୁଥିଲେ । ହେଲେ ଏବେ ସ୍ଥିତି ବଦଳିଛି । ରାଜ୍ୟ ସରକାରଙ୍କ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇ ନେଇଛି ଅର୍ବାନ ହାଟର ରୂପ । ଯେଉଁଠି ବ୍ୟବସାୟୀଙ୍କୁ ପିଣ୍ଡି ସହ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସୁରକ୍ଷିତ ଭାବେ କିପରି ବ୍ୟବସାୟ କରିପାରିବେ ସେନେଇ ସିଏମସି ପକ୍ଷରୁ ମଧ୍ୟ ଯୋଗାଇ ଦିଆଯାଇଛି ସହାୟତା । ତେବେ କିଛି ବ୍ୟବସାୟୀ ପିଣ୍ଡି ଛାଡ଼ି ରାସ୍ତାକଡ଼ରେ ସେମାନଙ୍କ ପରିବା ଗଦା କରୁଥିବା ଅଭିଯୋଗ ହୋଇଛି । ଏହାଦ୍ବାରା ପରିବେଶ ନଷ୍ଟ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରଚେଷ୍ଟରେ ହୋଇଛି ରୂପାନ୍ତରଣ । ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇ କଟକ ଛତ୍ର ବଜାର ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ପାଇଁ ସୁନ୍ଦର ଅର୍ବାନ ହାଟ ନିର୍ମାଣ କରାଯାଇଛି । ତେବେ ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା କାମ ଠିକରୂପେ କରୁ ନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମେୟର ।