ଶକ୍ତି ପୀଠରେ ଶକ୍ତି ଆରାଧନା, ହରଚଣ୍ଡୀ ବେଶରେ ଦର୍ଶନ ଦେଲେ କଟକ ଚଣ୍ଡୀ

କଟକ : ପୀଠେ ନବରାତ୍ରୀ । ଶକ୍ତି ପୀଠରେ ଚାଲିଛି ଶକ୍ତି ଆରାଧନା । ବିଭିନ୍ନ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଷୋଡ଼ଶ ଉପଚାର ପୂଜା ସହ ଚଣ୍ଡୀପାଠରେ କମ୍ପୁଛି ଶକ୍ତି ପୀଠ । ନବପତ୍ରିକା ପୂଜା ସହ ଆରମ୍ଭ ହୋଇଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ପୀଠରେ ପବିତ୍ର କଳସ ସ୍ଥାପନ ସହ ବଢି ଭୋର ସମୟରୁ କରାଯାଇଛି ମାଆଙ୍କ ଆବାହନ । କଟକର ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରୀ ଓଷା ପାଳନ କରି ପରିବାରର ମଙ୍ଗଳ କାମନା କରିବା ସହ ମାଆଙ୍କ ଆଶିଷ ନେଇଛନ୍ତି ଶ୍ରଦ୍ଧାଳୁ ।

କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ପୀଠରେ ଆରମ୍ଭ ହୋଇଛି ନବପତ୍ରିକା ପୂଜା । ଗୋଟିଏ ପଟେ ନବରାତ୍ର ପୂଜା, ମନ୍ତ୍ର ପାଠ, ଯଜ୍ଞ ଆଦି ଆୟୋଜିତ ହେଉଥିବା ବେଳେ ନବ ଦିନରେ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ମାଆ କଟକ ଚଣ୍ଡୀ ନବରାତ୍ରୀର ପ୍ରଥମ ଦିନରେ ହରଚଣ୍ଡୀ ବେଶରେ ଦର୍ଶନ ଦେଇଛନ୍ତି । ସେପଟେ ଗଡ଼ଚଣ୍ଡୀ ପୀଠରେ ରାଜରାଜେଶ୍ବରୀ ବେଶରେ ଭୂଷିତ ହୋଇ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ନବରାତ୍ର ପୂଜା ପାଇଁ ନବମୀ ପର୍ଯ୍ୟନ୍ତ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ଲାଗି ରହିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।