କଟକ : ଯଶୋଦା ମାଆ ଆଖିରେ ଲୁହ । ହେଲେ ଏହା ଦୁଃଖର ନୁହେଁ ଖୁସିର । ବସୁନ୍ଧରାକୁ ଫେରିଛି ସୁନା ଝିଅ ସୁଧନ୍ଯା । ଖୁସିରେ ନାଚୁଛି କଟକ ବିଡ଼ାନାସୀ ସ୍ଥିତ ବସୁନ୍ଧର ଆଶ୍ରମ । ୨୬ ବର୍ଷ ପରେ ଝିଅ ଫେରିଥିବାରୁ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ଆଶ୍ରମର ପାଳିତ ମାଆ ଶୈଳ । ଆଖିରେ ଭାସି ଯାଇଛି ୧୯୯୪ର ସେହି ଦୃଶ୍ଯ । ୨ ମାସର ଝିଅକୁ ବେସାହାରା କରି ବସୁନ୍ଧରା ଦୁଆରେ ଛାଡ଼ି ଚାଲି ଯାଇଥିଲା ମାଆ । ସେହି କଅଁଳ ଶିଶୁର ହସ, କାନ୍ଦରେ ପୂରି ଉଠିଥିଲା ଆଶ୍ରମ ପରିସର । ୧୯୯୯ରେ ତାର ଭାଗ୍ଯ ବଦଳିଥିଲା । ଆମେରିକାର ଦମ୍ପତି ତାକୁ କୋଳେଇ ନେଇଥିଲେ । ୨୬ ବର୍ଷ ପରେ ବସୁନ୍ଧରାର ସୁଧନ୍ଯା ବିବାହ କରି ଆଜି ସ୍ବାମୀ, ଶାଶୂ, ଶ୍ବଶୁର, ମାଆଙ୍କ ସହ ନିଜ ଘରକୁ ଫେରିଛି । ଆମେରିକାର ସୁଡି ର ସ୍ବାଗତ ପାଇଁ ଉତ୍ସବମୁଖର ହୋଇଛି ବସୁନ୍ଧରା ।
ବସୁନ୍ଧରାର ସୁନା ଝିଅ ସୁଧନ୍ଯା ଓ ସ୍ବାମୀ ହର୍ଷଙ୍କ ସ୍ବାଗତ ପାଇଁ ସୁନ୍ଦର ଆଲୋକମାଳାରେ ଝଟକି ଉଠିଛି ବସୁନ୍ଧରା ଆଶ୍ରମ । ସମସ୍ତେ ମିଶି ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ବସୁନ୍ଧରାରେ ମାଆ ଓ ନିଜ ଭାଇ, ଭଉଣୀଙ୍କୁ ଦେଖି ସୁଧନ୍ଯା ଓ ତାଙ୍କ ସ୍ବାମୀ ବି ଖୁସି । ଉଭୟ ପରିବାରର ସମ୍ପର୍କୀୟ ଓ ଅତିଥି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଛନ୍ତି । ସୁଡି ଖାଲି ସ୍ବାମୀ ଡ. ହର୍ଷଙ୍କ ସହ ଫେରିନି, ଏହାରି ଭିତରେ ସେ ମାଆ ହେବାକୁ ଯାଉଛି । ଏଥିପାଇଁ ସମସ୍ତଙ୍କ ମନରେ ଡବଲ ଖୁସି । ସମସ୍ତେ ମିଶି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଇଛା କରିଛନ୍ତି । ବିବାହର ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ସୁଧନ୍ୟା ଏବଂ ହର୍ଷ ପରସ୍ପରକୁ ଅତିଥିଙ୍କ ଗହଣରେ ବରଣମାଳା ପିନ୍ଧାଇବା ସହ ଖୁସି ବାଣ୍ଟିଥିଲେ । ଭବିଷ୍ୟତରେ ବସୁନ୍ଧରାକୁ ସହଯୋଗର ହାତ ବଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

