ଲୁଟିନେଲ ୫ ଟନର ବିସ୍ଫୋରକ, ଜଙ୍ଗଲରେ ଛାଡ଼ି ଦେଲେ ଖାଲି ପେଟି

ସୁନ୍ଦରଗଡ଼ : ଲୁଟିନେଲ ୫ ଟନର ବିସ୍ଫୋରକ । ଜଙ୍ଗଲରେ ଛାଡ଼ି ଦେଲେ ଖାଲି ପେଟି । କୌଣସି ବଡ଼ ଅପରେସନ କରୁ ନାହାନ୍ତି ତ ମାଓବାଦୀ ? ଏତେ ପରିମାଣ ବିସ୍ଫୋରକ ନେଇ ଘଟାଇବେନି ତ ବଡ଼ ଅଘଟଣ ? ପୋଲିସକୁ ପୁଣିଥରେ ଚ୍ୟାଲେଞ୍ଜ ଦେଇଛି ଲାଲ ବାହିନୀ । ସୁନ୍ଦରଗଡ଼ ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ବାଙ୍କୋ ଲଙ୍ଗଲକଟା ପଥର ଖାଦାନରୁ ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ୨ଶହ ପେଟି ବିସ୍ଫୋରକ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ, ପଶ୍ଚିମାଞ୍ଚଳ ଡିଆଆଇଜି ବ୍ରିଜେଶ କୁମାର, ଆଇଜି ଅପରେସନ ଦୀପକ କୁମାର କରିଛନ୍ତି ତନାଘନା । ମଙ୍ଗଳବାର ବିସ୍ଫୋରକ ଲୁଟ ପରେ ଭ୍ଯାନ ଓ ଡ୍ରାଇଭରକୁ ଛାଡ଼ି ଦେଇଥିଲେ ମାଓବାଦୀ । ଜଙ୍ଗଲରୁ ଖାଲି ପେଟି ଜବତ ହୋଇଛି । ଘଟଣା ପରେ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଆତଙ୍କ ସୃଷ୍ଟି ହୋଇଛି ।
ମଙ୍ଗଳବାର ଭୋର୍ ୫ ଟାରେ ବଡଗାଁ ଥାନା ଇତମା ବାରୁଦ ଗୋଦାମରୁ ୨୫ କେଜିଆ ୨ଶହ ପ୍ୟାକେଟ ବାରୁଦ ବାଙ୍କୋ ଲଙ୍ଗଲକଟା ନିକଟ ଏକ ପଥର ଖଣିକୁ ଯାଇଥିଲା । ଖାଦାନରେ ପହଞ୍ଚିବା ପରେ ଡ୍ରାଇଭର ଓ ପଥର ଖଣି କର୍ମଚାରୀଙ୍କୁ ଭୟଭତ କରି ୪୦ରୁ ଅଧିକ ମାଓବାଦୀ ଭ୍ଯାନକୁ ଲୁଟି ନେଇଥିଲେ । ଏହାପରେ ଖାଲି ଗାଡି ଓ ଡ୍ରାଇଭରକୁ ଛାଡି ଦେଇଥିଲେ । ଇତମା ସ୍ଥିତ ବାରୁଦ ଗୋଦାମକୁ ଗଲାପରେ ସବୁ ତଥ୍ୟ ରଖିଛନ୍ତି ସେଠାକାର କର୍ମଚାରୀ । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଗୋଦାମକୁ ସିଲ୍ କରାଯାଇଛି । ଏଠି ପ୍ରଶ୍ନ ଉଠୁଛି, ବିସ୍ଫୋରକ ଚାଲାଣବେଳେ ସୁରକ୍ଷା କାହିଁକି ସୁରକ୍ଷା ବ୍ଯବସ୍ଥା ପ୍ରତି ଧ୍ୟାନ ଦିଆଯାଇ ନଥିଲା ? ବିସ୍ଫୋରକ ପରିବହନ ପାଇଁ ପୋଲିସ ଓ ପ୍ରଶାସନର ଅନୁମତି ନିଆଯାଇ ଥିଲା ନା ନାହିଁ ? ଗୋଟିଏ ଭ୍ଯାନରେ କେଉଁ ପରିସ୍ଥିତିରେ ଏତେ ଏତେ ପରିମାଣ ବିସ୍ଫୋରକ ପଠାଯାଉଥିଲା ? ଯଦି ମାଓବାଦୀଙ୍କ ହାତରେ ଏହି ବିସ୍ଫୋରକ ପଡ଼ିଥାଏ ତେବେ ଅତ୍ଯନ୍ତ ସାଂଘାତିକ ।