ରାଜଧାନୀରେ ସାଇବର ଅପରାଧ ରୋକିବା ପାଇଁ ତାଲିମ ନେବେ ୨ ଶହ ପୋଲିସ କର୍ମଚାରୀ…

ଭୁବନେଶ୍ୱର: କଟକସ୍ଥିତ ସାଇବର କମ୍ପ୍ଲେକ୍ସକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । କମିଶନରେଟ୍ ପୋଲିସ ରାଜଧାନୀରେ ବଢୁଥିବା ସାଇବର ଅପରାଧକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଛି । ଏହାକୁ ଭୁବନେଶ୍ୱରରେ ପୋଲିସ ଡିଜି ଅଭୟ ଉଦଘାଟନ କରିଛନ୍ତି । ଏହା ମୁଖ୍ୟତଃ ଏକ ପୋଲିସ ଷ୍ଟେସନ ଭାବେ କାର୍ଯ୍ୟ କରିବ । ସାଧାରଣ ଲୋକେ ଅନଲାଇନ ଠକେଇ ସମ୍ୱନ୍ଧିତ ଯେକୌଣସି ସମସ୍ୟା ଉପରେ ଏଠାରେ ମାମଲା ଦାଖଲ କରିପାରିବେ । ସାଇବର ଷ୍ଟେସନ ଉକ୍ତ ଅଭିଯୋଗର ତଦନ୍ତ କରିବ । ସ୍ୱାଭାବିକ ଭାବେ ପୋଲିସ କର୍ମଚାରୀମାନଙ୍କର ସାଇବର ସମ୍ୱନ୍ଧିତ ବ୍ୟାପାର ଉପରେ ଏତେ ଧାରଣା ନଥାଏ ।

ତେଣୁ କମିଶନରେଟ୍ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି । କମିଶନରେଟ୍ ପୋଲିସର ୨ ଶହ ଜଣ କର୍ମଚାରୀଙ୍କୁ ଚୟନ କରାଯିବ । ଏମାନେ ସାଇବର କ୍ରାଇମ ତଦନ୍ତ କରିବା ନେଇ ତାଲିମ ନେବେ । କିଭଳି ଭାବେ ସାଇବର ସମ୍ୱନ୍ଧିତ ଅପରାଧ ହୁଏ ଓ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା କଣ, ସେନେଇ ଉକ୍ତ ପୋଲିସ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ । ଏଇ ବର୍ଷ ୮ ପର୍ଯ୍ୟୟରେ ପୋଲିସମାନଙ୍କୁ ତାଲିମ ଦିଆଯିବ । ନ୍ୟାସନାଲ ଡିଜିଟାଲ୍ ଟ୍ରେନିଂ ରିସର୍ଚ୍ଚ ସେଣ୍ଟର ସହାୟତାରେ ପୋଲିସଙ୍କୁ ଡିଜିଟାଲ ଶିକ୍ଷା ଦେବା ନେଇ ଡିଜି ଅଭୟ କହିଛନ୍ତି । ତେବେ ସାଇବର କମ୍ପେକ୍ସ ବାଦ ମଧ୍ୟ ସବୁ ଥାନାର ଆଇଆଇସି ଏବଂ ଏଏସଆଇଙ୍କୁ ଟ୍ରେନିଂ ଦିଆଯିବ ।

ଏହା ଦ୍ୱାରା ସାଇବର ଅପରାଧ ସମ୍ୱନ୍ଧିତ ଅଭିଯୋଗ ଯେକୌଣସି ଥାନାରେ ପହଞ୍ଚିଲେ ମଧ୍ୟ ଅଭିଯୋଗକୁ ଗୁରୁତ୍ୱ ଦେଇହେବ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସାଇବର କ୍ରାଇମର ମାତ୍ରା ବଢିବାରେ ଲାଗିଛି । ସୋସିଆଲ ମିଡିଆ ଓ ୱେବସାଇଟ୍ ହ୍ୟାକିଂ ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ଏବେ କମିଶନରେଟ୍ ପୋଲିସର ଏଭଳି ପଦକ୍ଷେପ ରାଜଧାନୀ ସାଇବର କ୍ରାଇମର ସ୍ଥିତିରେ ପରିବର୍ତ୍ତନ ଆଣିପାରିବ ବୋଲି ଆଶା କରାଯାଉଛି ।

Leave a Reply