କଟକ : ବନ୍ଧୁ ସାଜିଲା ବଇରୀ । ଫେସବୁକରେ ସମ୍ପର୍କ ଯୋଡି ବିଶ୍ବାସ ଜନ୍ମାଇ ଥିଲା । ପରେ ବ୍ଲାକମେଲ କରି ସମ୍ପତ୍ତି ପୋଛିନେଲା ସାଇବର ଠକ । କଟକର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏଭଳି ଠକାମିର ଶିକାର ହୋଇଛନ୍ତି । ୨୦୨୫ ଜାନୁଆରୀରେ ଯାଜପୁର ଅଞ୍ଚଳର ସରୋଜ ଜେନା ନାମକ ଜଣେ ବ୍ୟକ୍ତି ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ କରିଥିଲେ । କିଛି ଟଙ୍କା ଧାର ଆକାରରେ ନେଇଥିଲେ । ତୁରନ୍ତ ଏ ଟଙ୍କା ଫେରାଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଏହା ପରେ ସରୋଜ ଏକ ଫେକ ଆଇଡି ମାଧ୍ୟମରେ ଝିଅ ପରିଚୟ ଦେଇ ଦୀର୍ଘ ଦିନ ଧରି ଅଶ୍ଳୀଳ ଭିଡିଓ କଲ କରିଥିଲେ । ଏହି ଭିଡିଓ କଲର ରେକର୍ଡ ଓ ସ୍କ୍ରିନସଟକୁ ଭାଇରାଲ କରି ଦେବାର ଧମକ ଦେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଠାରୁ ୮୮ ଲକ୍ଷ ଟଙ୍କା ଲୁଟ କରିଥିଲେ। ଏହାପରେ ବରିଷ୍ଠ ନାଗରିକ ଜଣକ ସାହସ ଜୁଟାଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ସାଇବର ଥାନା ପୋଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ୫ ଜଣକୁ ଗିରଫ କରିଛି । ସେମାନେ ହେଲେ ମନୋଜ ଜେନା, ପ୍ରଫୁଲ୍ଲ ବିଶ୍ୱାଳ, ସଂଗ୍ରାମ ଜେନା, ବାସୁଦେବ ରାଉତ, ମନୋରଞ୍ଜନ ରାଉତ । ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ରହିଛି । ….
ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୪ ଲକ୍ଷ ଟଙ୍କା, ୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ସରୋଜର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି । ଏହି ଘଟଣାରେ ପୋଲିସର ଅନୁସନ୍ଧାନ ଜାରି ରହିଛି । ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଖୁବ ଶୀଘ୍ର ଜଣାପଡିବ । ଯେଉଁମାନେ ଏଭଳି ଠକାମୀର ଶିକାର ହେଉଛନ୍ତି ସେମାନେ ସାଇବର ଥାନାକୁ ଜଣାନ୍ତୁ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ବାରମ୍ବାର ସାଇବର ଅପରାଧୀ ମାନଙ୍କଠୁ ଦୂରରେ ରହିବା ପାଇଁ ପୋଲିସ ଏବଂ ସରକାର ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି । ହେଲେ କାହିଁକି ଲୋକେ ଏଭଳି ଠକାମୀର ଶିକାର ହେଉଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

