ଜାତୀୟ ସ୍ତରରେ ଚର୍ଚ୍ଚାରେ ବାବୁଲାଙ୍କ ଦହିବରା, ପ୍ଲେଟ୍ ୮୦୦ ଟଙ୍କା

1 min read

କଟକ: ଦହିବରା-ଆଳୁଦମ୍‌ର ଫୁଲ୍ ପ୍ଲେଟ୍ ୮୦୦ଟଙ୍କା  । ୩୦ରୁ ୫୦ ଟଙ୍କାରେ ମିଳୁଥିବା ଦହିବରା ଆଳୁଦମର ଦାମ ୮୦୦ ଟଙ୍କା ଶୁଣିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ବାସ୍ତବରେ କିନ୍ତୁ ଏହା ସତ ।  ଗୋଟିଏ ଦହିବରା, ଖଣ୍ଡେ ଆଳୁ ଆଉ ଗୋଟେ ଚାମଚ ଘୁଘୁନିର ମୂଲ୍ୟ, ୧୬୦ଟଙ୍କା । କଟକର ଅତି ପରିଚିତ ଦହିବରା ବ୍ୟବସାୟୀ ପ୍ରଦୀପ୍ତ କୁମାର ସାହୁ ଓରଫ ବାବୁଲାଙ୍କ ସୁସ୍ୱାଦୁ ଦହିବରା ମହଙ୍ଗା ଦରରେ ବିକ୍ରି ହୋଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ବେଙ୍ଗାଲୁରୁରେ ଆୟୋଜିତ ଜାତୀୟ ଖାଦ୍ୟ ମେଳାରେ ବାବୁଲା ଭାଗ ନେଇଥିଲେ । ସେଠାରେ ଦେଶର ଅନେକ ପ୍ରତିଷ୍ଠିତ ବ୍ୟବସାୟୀ, ଜଣାଶୁଣା ଶିଳ୍ପପତି ଓ ତାରକାମାନେ ବାବୁଲିଙ୍କ ଦହିବରା ଖାଇ ଏହାର ଖୁବ୍ ପ୍ରଶଂସା କରିଥିଲେ ।

ଏଣୁ ଚାହିଦାକୁ ନଜରରେ ରଖି ଜାତୀୟ ଖାଦ୍ୟ ମେଳା କମିଟି ବାବୁଲାଙ୍କ ଦହିବରା ପ୍ଲେଟ ୮୦୦ଟଙ୍କାରେ ବିକ୍ରି କରିବାକୁ ଦର ଧାର୍ଯ୍ୟ କରିଥିଲା । କଟକ ବଜାର ମୂଲ୍ୟ ଠାରୁ ୧୩ ଗୁଣା ଅଧିକ ଦରରେ ଦହିବରା ବିକି ବାବୁଲା କଟକ ଫେରିଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଲଗାତର ଭାବେ ଟ୍ରେଣ୍ଡିଂରେ ରହୁଛି କଟକ ଦହିବରା । ଭାରତର ଜଣାଶୁଣା ସେଫ୍ ବିକାଶ ଖାନ୍ନା ହୁଅନ୍ତୁ କି ଲଣ୍ଡନର ଫୁଡ୍ ବ୍ଲଗର ଜାକ୍ ଡ୍ରାୟନ୍‌, ସଭିଏଁ ଦହିବରାର ସ୍ୱତନ୍ତ୍ରତାକୁ ଖୋଲାଖୋଲି ଭାବେ ପ୍ରଶଂସା କରି ଏହି ଖାଦ୍ୟକୁ ଅନ୍ତର୍ଜାତୀୟ ଦରବାରରେ ପହଞ୍ଚାଇ ସାରିଲେଣି ।

ରୌପ୍ୟନଗରୀର ରାସ୍ତା କଡରେ ବିକ୍ରି ହେଉଥିବା ଦହିବରା-ଆଳୁଦମ୍ ଏବେ ଚର୍ଚ୍ଚାର ସବୁଠୁ ଆଗରେ । ତେବେ ପୁଣି ଥରେ କଟକ ଦହିବରା ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି । ପ୍ରକାଶଯୋଗ୍ୟ, ୨୦୧୯ ମସିହାରେ ନୂଆଦିଲ୍ଲୀରେ ସର୍ବଭାରତୀୟ ଖାଦ୍ୟ ମେଳାକୁ ଦହିବରା-ଆଳୁଦମ ନେଇ ଯାଇଥିଲେ କଟକର ବାବୁଲା । ସେହିବର୍ଷ ଖାଦ୍ୟ ମେଳାରେ କେବଳ ଦେଶର ଜଣାଶୁଣା ଷ୍ଟ୍ରିଟ୍‌ଫୁଡ୍ ବ୍ୟବସାୟୀଙ୍କୁ ସାମିଲ କରାଯାଇଥିଲା । ସମସ୍ତଙ୍କୁ ପଛରେ ପକାଇ ବାବୁଲା ପ୍ରଥମ ସ୍ଥାନ ହାସଲ କରିଥିଲେ । ଗତ ମାର୍ଚ୍ଚ ଶେଷ ସପ୍ତାହରେ ଦେଶର ଆଇଟି ହବ୍ ଭାବେ ପରିଗଣିତ ବେଙ୍ଗାଲୁରୁରେ ଜାତୀୟ ଖାଦ୍ୟ ମେଳା ଆୟୋଜନ ହୋଇଥିଲା । ଓଡ଼ିଶାର ଏକମାତ୍ର ବ୍ୟବସାୟୀ ଭାବେ ନିମନ୍ତ୍ରଣ ପାଇ ବାବୁଲା ବେଙ୍ଗାଲୁରୁ ଯାଇଥିଲେ ।

ଏହି ଖାଦ୍ୟ ମେଳା ସ୍ୱତନ୍ତ୍ର ଥିଲା । ଆୟୋଜକ କମିଟି ପକ୍ଷରୁ ଅନେକ ଖ୍ୟାତନାମା ବ୍ୟକ୍ତିବିଶେଷଙ୍କୁ ମେଳାକୁ ଡକାଯାଇଥିଲା । ସେମାନେ ମେଳାର ସମସ୍ତ ଖାଦ୍ୟକୁ ଚାଖି ଏହାର ମାନ ସଂକ୍ରାନ୍ତୀୟ ରିପୋର୍ଟ ଦେଇଥିଲେ । ଏଥର ବି ସମସ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ପଛରେ ପକାଇ ଆଗରେ ରହିଥିଲେ ବାବୁଲା । ତାଙ୍କ ଦହିବରାର ସ୍ୱାଦ ଓ ମାନ, ଏତେ ଗୁଣାତ୍ମକ ଥିଲା ଯେ ଏହାକୁ ମହଙ୍ଗା ଦରରେ ବିକ୍ରି କରିବାକୁ ମେଳା ଆୟୋଜକ କମିଟି ନିଷ୍ପତ୍ତି ନେଇଥିଲା । ପ୍ଲେଟ ପିଛା ୮୦୦ଟଙ୍କାରେ ବିକ୍ରି ହୋଇଥିଲେ ସୁଦ୍ଧା ଗ୍ରାହକମାନେ ସନ୍ତୁଷ୍ଟିର ସହ କଟକ ଦହିବରା-ଆଳୁଦମ୍‌ର ଭରପୁର ମଜା ନେଇଛନ୍ତି ବୋଲି ବାବୁଲା କୁହନ୍ତି ।

କଟକର ଅନେକ ଜଣାଶୁଣା ଦହିବରା ବ୍ୟବସାୟୀଙ୍କ ଭିତରୁ ବାବୁଲା ଅନ୍ୟତମ । କୃଷକ ବଜାର ନିକଟରେ ନିୟମିତ ସେ ବ୍ୟବସାୟ କରନ୍ତି । ଅଧା ପ୍ଲେଟକୁ ୪୦ ଟଙ୍କା ଏବଂ ଫୁଲ୍ ପ୍ଲେଟକୁ ୬୦ଟଙ୍କାରେ ବିକ୍ରି କରନ୍ତି । କିନ୍ତୁ ଭିନ୍ନ ସ୍ୱାଦ ଯୋଗୁଁ ତାଙ୍କ ଦହିବରା-ଆଳୁଦମ୍‌କୁ ସବୁବେଳେ ଲୋକେ ପସନ୍ଦ କରିଛନ୍ତି । ଏବେ ଅନ୍ତର୍ଜାତୀୟ ବଜାରରେ ଦହିବରା-ଆଳୁଦମର ଚର୍ଚ୍ଚା ଚାଲିଛି । ଏଣୁ ଏ ଦିଗରେ ଦୃଷ୍ଟି ଦିଆଯାଇ କଟକର ଏହି ଖାଦ୍ୟକୁ ଜିଆଇ ଟ୍ୟାଗ୍ ମିଳୁ ବୋଲି ସେ ଦାବି କରିଛନ୍ତି ।