ନଇ ପାର ହେଲେ ପେଟକୁ ଗଣ୍ଡେ ଦାନା ମିଳେ, ହେଲେ ନିଇତି କରିବାକୁ ପଡ଼େ ସଂଘର୍ଷ

ଜୀବନକୁ ବାଜି ଲଗାଇଲେ ଜଣାପଡୁନି ବାଟ । ଆର ପଟେ ଗଲେ ୨୫ କିଲୋମିଟର ଅଧିକ । ଫଳରେ ଜରୁରୀ କାମ ବେଳେ ଭରା ନଈ ପାର ହେବାକୁ ପଛଘୁଞ୍ଚା ଦେଉ ନାହାନ୍ତି ଗୋଟିଏ ପଞ୍ଚାୟତର ୫ ହଜାର ଲୋକ  । ଦୀର୍ଘ ଦିନରୁ ପ୍ରଶାସନ ନିକଟରେ ପୋଲଟିଏ ପାଇଁ ଦାବି ହୋଇଛି । ହେଲେ ପ୍ରତିଥର ପ୍ରତିଶ୍ରୁତି ପ୍ରତାରଣା ପାଲଟୁଛି ପଛେ ସରୁନି ଦୁଃଖ  ।

ଭରା ନଈରେ ଜୀବନ ଜୀବିକା । ଜୀବନକୁ ପାଣି ଛଡାଇ ଚାଲିଛି ଯାତ୍ରା । ସେତୁ ପାଇଁ ଦୀର୍ଘ ଦିନରୁ ଚାଲିଛି ସଂଘର୍ଷ । ଚେତିବା ପାଇଁ ଅଘଟଣକୁ ପ୍ରଶାସନର ଅପେକ୍ଷା । ଏ ହେଉଛି ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ବ୍ଲକର ବାଟ ଗାଁ ପଞ୍ଚାୟତ  । ନଈ ଆରପଟେ ସାଲଭଟ୍ଟା ପଞ୍ଚାୟତ  । ହେଲେ ଏହି ଦୁଇ ପଞ୍ଚାୟତ ମଧ୍ୟରେ ବାଧକ ସାଜିଛି ଟିକିରା ନଈ । ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବାକୁ ହେଲେ ୨୫ କିଲୋମିଟର ବୁଲିକି ଯିବାକୁ ପଡେ  ।

ଯଦି କିଛି ଜରୁରୀ କାମ ପଡେ ତାହା ହେଲେ ସାଲଭଟ୍ଟାର ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ପାର ହୋଇଥାନ୍ତି ଏହି ଭରା ନଈ  । ଏପରିକି କାନ୍ଧରେ ଶିଶୁକୁ ବସାଇ ନଈ ପାର ହେଉଥିବା ଦୃଶ୍ୟ କଏଦ୍ ହୋଇଛି ଆମ କ୍ୟାମରାରେ । କାହିଁକି ନାଁ ବାଟ ଗାଁ ପଞ୍ଚାୟତ ନିକଟ ନାକଟି ଦେଉଳରେ ରହିଛି ମେଡିକାଲ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ଦୋକାନ ବଜାର  ।

ସାଲଭଟ୍ଟା ପଞ୍ଚାୟତ ପାଇଁ ଟିକିରା ନଈ ପାଲଟିଛି ଲକ୍ଷ୍ମଣ ରେଖା  । ଏହି ପଞ୍ଚାୟତରେ ଥିବା ଏକ ଆଶ୍ରମ ସ୍କୁଲରେ ୧୨୦ରୁ ଅଧିକ ଛାତ୍ରଛାତ୍ରୀ ବି ଏହି ନଈ ଯୋଗୁ ସମସ୍ୟାରେ ପଡୁଥିବା କହିଛନ୍ତି  । ଏଥିରୁ ମୁକ୍ତି ପାଇଁ ଦୀର୍ଘ ଦିନରୁ ପୋଲଟିଏ ପାଇଁ ପଞ୍ଚାୟତବାସୀ ଦାବି କରିଆସୁଛନ୍ତି  । ହେଲେ କୌଣସି ଅଘଟଣ ନହେବା ଯାଏଁ ଅପେକ୍ଷା କରିବାକୁ ସତେ ଯେମିତି ପଣ କରିଛି ପ୍ରଶାସନ  ।

Leave a Reply