ଘରକୁ ଫେରିଲେ ମଲା ମଣିଷ: ଆଉ ଥରେ ହେଲା ବାହାଘର, ନାମକରଣ

ଉତ୍ତରାଖଣ୍ଡ: ମିଳିଲା ମୃତଦେହ । ପରିବାର ଲୋକେ ଚିହ୍ନଟ କଲେ । ରୀତିନୀତି ଅନୁସାରେ ଅନ୍ତିମ ସତ୍କାର ବି କଲେ । ହାତରୁ ଶଙ୍ଖା ଭାଙ୍ଗି, ମଥାରୁ ସିନ୍ଦୁର ପୋଛି ଦୁଇ ପିଲାଙ୍କୁ ନେଇ ଦୁଃଖର ସଂସାର ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଥିଲେ ପତ୍ନୀ । ହେଲେ, ହଠାତ ଘରେ ଆସି ପହଞ୍ଚି ଗଲେ ମରିଯାଇଥିବା ମଣିଷଟି । ଘରଠାରୁ ପଡ଼ୋଶୀ, ମୃତ ଯୁବକଙ୍କୁ ଦେଖି ହୋଇ ଯାଇଥିଲେ ତାଜୁବ । ଏହାପରେ ପୁଣି ଥରେ ହୋଇଛି ଯୁବକଙ୍କ ନାମକରଣ । ବେଦୀରେ ବସି ପୁଣି ଥରେ ପତ୍ନୀଙ୍କୁ ବିବାହ କରିଛନ୍ତି ।

ଏମିତି ଘଟଣା ଘଟିଛି ଉତ୍ତରାଖଣ୍ଡ ପିଥୋରାଗଡ଼ ଅଞ୍ଚଳରେ । ଦୁଇ ବର୍ଷ ତଳେ ନବୀନ ଚନ୍ଦ୍ର ଭଟ୍ଟ ନାମକ ଯୁବକ ନିଖୋଜ ହୋଇଯାଇଥିଲେ । ଗତ ନଭେମ୍ବର ୨୫ରେ ଏକ ଅଜଣା, ଅଚିହ୍ନା ମୃତଦେହ ମିଳିଥିଲା । ଏହା ନବୀନଙ୍କ ମୃତଦେହ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ଏହାପରେ ପରିବାର ଲୋକେ ସ ଗ୍ରାମବାସୀ ମିଶି ନବୀନଙ୍କ ଶବ ସତ୍କାର କରିଦେଇଥିଲେ ।

ହେଲେ ନବୀନ ଆସି ଗାଁରେ ପହଞ୍ଚି ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେହେତୁ ନବୀନଙ୍କ ଅନ୍ତମ ସତ୍କାର ହୋଇ ଯାଇଥିଲା କେମିତି ତାକୁ ସମାଜକୁ ପୁଣି ଅଣାଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଗ୍ରାମସଭା ସବିଥିଲା ଓ ଏଥିରେ ନିଷ୍ପତ୍ତି ଅନୁସାରେ ନବୀନଙ୍କ ନୂତ ନାମକରଣ କରାଯାଇଥିଲା । ଏହାପରେ ନବୀନ ଚନ୍ଦ୍ର ଭଟ୍ଟ ନାରାୟଣ ଭଟ୍ଟ ହୋଇଯାଇଥିଲେ । ତେବେ ସେତିକିରେ କଥା ସରି ନଥିଲା, ପିଲା ଜନ୍ମରୁ ବିବାହ ପର୍ଯ୍ୟନ୍ତ ଥିବା ସମସ୍ତ ପରମ୍ପରା ପାଳନ କରାଯାଇଥିଲା । ଏହାପରେ ପତ୍ନୀଙ୍କ ସହ ତାଙ୍କର ଦ୍ବିତୀୟ ଥର ବିବାହ କରାଯାଇଥିଲା ।

ନବୀନ ମରିବା ଓ ଶବ ସତ୍କାର ପରେ ପୁଣି ଘରକୁ ଫେରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଏହା ନବୀନଙ୍କ ପୁନର୍ଜନ୍ମ ବୋଲି କହୁଛନ୍ତି ।