ଝାରସୁଗୁଡ଼ା ପ୍ରଚାର ମଇଦାନରେ ନବୀନ, ମହିଳାଙ୍କୁ ସମ୍ମାନ ଦେବାପାଇଁ ବିରୋଧୀଙ୍କୁ ପଢ଼ାଇଲେ ପାଠ

1 min read

ଝାରସୁଗୁଡ଼ା: ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି । ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ । ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ highly educated ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ବାସ, ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ। ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ । ଝାରସୁଗୁଡ଼ାରେ ଦୀପାଳିଙ୍କ ପାଇଁ ଭୋଟ ଭିକ୍ଷା କରି ଏମିତି କହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ନବୀନ ଶୋ’ । ନବୀନ ନବୀନ ନାରାରେ କମ୍ପିଲା ଝାରସୁଗୁଡ଼ା । ଉପନିର୍ବାଚନ ପୂର୍ବରୁ ବିଜେଡିର ବିରାଟ ଜନସଭା । ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାବାସୀଙ୍କୁ ସମ୍ବୋଧନ କରିବା ସହ ବିରୋଧୀଙ୍କୁ ମହିଳାଙ୍କୁ ସମ୍ମାନ ଦେବାପାଇଁ ପାଠ ପଢ଼ାଇଛନ୍ତି ନବୀନ ।

ପ୍ରଥମେ ମୁଖ୍ୟମନ୍ତ୍ରୀ ଆମିଲିପାଲିରେ ବିଶାଳ ଜନସଭାକୁ ସମ୍ବୋଧିନ କରିଥିଲେ । ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରି କହିଥିଲେ, ”ଏମାଟିର ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମୋର ପ୍ରଣାମ । ଏ ମାଟିକୁ ମୋର ପ୍ରଣାମ । ଝାରସୁଗୁଡା ନିର୍ବାଚନମଣ୍ଡଳୀର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ପ୍ରଥମେ ଆପଣମାନଙ୍କ ପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି ।

ଆପଣମାନେ ବିକାଶରେ ବିଶ୍ବାସ କରନ୍ତି । ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି । ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ । ମା ମାନଙ୍କ ସଶକ୍ତିକରଣରେ ବିଶ୍ବାସ କରେ । ଚାଷୀ ଭାଇର ସଶକ୍ତିକରଣ ଉପରେ ବିଶ୍ବାସ କରେ । ଯୁବଶକ୍ତିର ସଶକ୍ତିକରଣରେ ବିଶ୍ବାସ କରେ । ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ। ନିର୍ବାଚନରେ ହାର ଜିତ୍‌ ରହିଛି ।

ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାଳୀନତା ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ । ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି । ଏହା ମୋତେ ବହୁତ ଦୁଃଖ ଦେଇଛି ।

ଦୀପାଳି ଏ ମାଟିର ଝିଅ । ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ।” ଆଜିର ଏହି ନିର୍ବାଚନୀ ସଭାରେ ବରିଷ୍ଠ ବିଜେଡି ନେତା, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ଅଳକା ମହାନ୍ତି, ପଦମପୁର ବିଧାୟିକା ବର୍ଷା ସିଂ ବରିହା, ନବ ଦାସଙ୍କ ପତ୍ନୀ ଓ ପୁଅ ପ୍ରମୁଖ ଉପସ୍ଥିତ ଥିଲେ । ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର, ବିଜେଡି ନେତା କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ ।