ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; ଗୁରୁବାର ବି AQI ୬୦୦ ପାର୍

1 min read

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ପ୍ରଦୂଷଣ । ବଢୁଛି ପ୍ରଦୂଷଣ, ବଢୁଛି ସମସ୍ୟା । ଜାତୀୟ ରାଜଧାନୀ ଦିଲ୍ଲରେ ଏବେ ବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ମାସେ ହେଲା ବିଷାକ୍ତ ବାୟୁରେ ଛଟପଟ ହେଉଛନ୍ତି ରାଜଧାନୀବାସୀ । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣସ୍ତର ‘ଅତି ଖରାପ ସ୍ତର’ରେ ରହିଛି । ଆଜି ଦିଲ୍ଲୀର କିଛି ସ୍ଥାନରେ AQI ୬୦୦ ପାର୍ କରିଛି । ପ୍ରଦୂଷଣ ମାତ୍ରା କମ୍ କରିବା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ସରକାରୀ ଚାକିରିଆଙ୍କ ପାଇଁ ଓ୍ୱାର୍କ ଫ୍ରମ ହୋମ୍ ଲାଗୁ କରାଯାଇଛି । ସେହିପରି ଭାବରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଏତେ ସବୁ କଡ଼ା ପଦକ୍ଷେପ ପରେ ବି ସୁଧୁରିନି ସ୍ଥିତି । ମାସାଧିକ କାଳ ଧରି ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ରହିଥିବାରୁ ରାଜଧାନୀରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଘର ବାହାରେ, ଭିତରେ ଶ୍ବାସକ୍ରିୟା କରିବାରେ କଷ୍ଟ ଭୋଗୁଛନ୍ତି ଲୋକେ ।

ଗୁରୁବାର ବାୟୁ ଗୁଣବତ୍ତା ନୋଏଡାରେ ୬୦୪ ରେକର୍ଡ ହୋଇଥିବା ବେଳେ ଗୁରୁଗ୍ରାମରେ ୫୦୦ ଉପରେ ରହିଛି ପ୍ରଦୂଷଣସ୍ତର ।  ସେପଟେ ୧୫ଦିନ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପରେ ସ୍କୁଲ ଖୋଲିଛି । ତେବେ ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ସ୍ତରରେ ରହିଥିବାବେଳେ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବାୟୁ ପ୍ରଦୂଷଣ ସ୍ତର ଅତି ଖରାପ ସ୍ଥିତିରେ ରହିଥିଲେ ବି କାହିଁକି ସ୍କୁଲ ଖୋଲିଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଦୂଷଣ ରିପୋର୍ଟ ପ୍ରସ୍ତୁତ ପାଇଁ ଦିଲ୍ଲୀ ସରକାର ଟାସ୍କ ଫୋର୍ସ ଗଠନ କରିଥିଲେ । ଏଥିରେ ରାଜ୍ୟ ଓ କେନ୍ଦ୍ରର କିଛି କର୍ମଚାରୀ ଅଛନ୍ତି । ତେବେ ଏହି ଟାସ୍କ ଫୋର୍ସ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍ କୋର୍ଟ।

Leave a Reply