ୱିମେନ୍ସ ପ୍ରିମିୟର ଲିଗ୍ : ମନ୍ଧାନାଙ୍କ ବେଙ୍ଗାଲୁରୁକୁ ୬୦ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ: ୱିମେନ୍ସ ପ୍ରିମିୟର ଲିଗ୍ (ଡବ୍ଲୁପିଏଲ)ର ପ୍ରଥମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା । ମ୍ୟାଚଟିକୁ ୬୦ ରନରେ ଜିତିନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶେଫାଳି ବର୍ମା ଏବଂ ମେଗ ଲାନିଂ ଶତକୀୟ ପାରି ଖେଳିଥିଲେ । ସେହିପରି ଦଳ ପକ୍ଷରୁ ତାରା ନରିସ ଦମଦାର ବୋଲିଂ କରିଥିଲେ । ମୁମ୍ବାଇର ବ୍ରେବର୍ଣ୍ଣ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୨୩ ରନର ବିଶାଳ ସ୍କୋର କରିଥିଲା ।

ଏହାର ଜବାବରେ ବେଙ୍ଗାଲୁରୁ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୩ ରନରେ ସୀମିତ ରହିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅଧିନାୟକ ସ୍ମୃତି ମନ୍ଧାନା ୩୫ ରନ୍ କରିଥିଲେ । ୨୨୪ ରନର ଲକ୍ଷ୍ୟ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ବେଙ୍ଗାଲୁରୁର ଆରମ୍ଭ ଭଲ ରହିଥିଲା । ମନ୍ଧାନା ଏବଂ ସୋଫିୟାଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୪୧ ରନର ପାର୍ଟନରସିପ୍ ହୋଇଥିଲା । ସୋଫିୟା ଡିଭାଇନ ୧୪ ରନ କରି ପାଭେଲିଅନ୍ ଫେରିଯାଇଥିଲେ । ମନ୍ଧାନା ମଧ୍ୟ ପାୱାରପ୍ଲେ ପରେ ୨୩ ଟି ବଲରେ ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଦିଲ୍ଲୀର ଷ୍ଟାର ବୋଲିର ତାରା ନରିସ୍ ନିଜର ପ୍ରାରମ୍ଭିକ ଦୁଇ ଓଭରରେ ଚାରି ୱିକେଟ୍ ଅକ୍ତିଆର କରି ବେଙ୍ଗାଲୁରୁକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ।

ଦିଶା କସତ, ଋଚା ଘୋଷ, ଏଲିସା ପେରୀ, କନିକା ଆହୁଜାଙ୍କୁ ନରିସ ଆଉଟ୍ କରିଥିଲେ । ଏହାପରେ ନିଜର ଶେଷ ଓଭରରେ ସେ ହିଥର ନାଇଟଙ୍କୁ ଆଉଟ୍ କରି ମୋଟ ପାଞ୍ଚଟି ୱିକେଟ୍ ହାସଲ କରିଥିଲେ । ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ ଶେଫାଳୀ ବର୍ମା ଏବଂ ମେଗ ଲାନିଂଙ୍କ ମଧ୍ୟରେ ହୋଇଥିବା ଶତକୀୟ ପାର୍ଟନସିପ୍ ବଳରେ ୨୦ ଓଭରରେ ଦୁଇଟି ୱିକେଟ୍ ହରାଇ ୨୨୩ ରନ୍ କରିଥିଲା । ବେଙ୍ଗାଲୁରୁ ପାଇଁ ହିଥର ନାଇଟ୍ ଦୁଇଟି ଯାକ ୱିକେଟ୍ ନେଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଶେଫାଳୀ ବର୍ମା ୮୪ ରନ୍ ଏବଂ ମେଗ ଲାନିଂ ୭୨ ରନ୍ କରିଥିଲେ ।