ଦିଲ୍ଲୀ: ୫ ହସ୍ପିଟାଲରେ ସରିଗଲା ଅକ୍ସିଜେନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଦିଲ୍ଲୀର ୫ଟି ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ସାଙ୍ଘାତିକ ଅବସ୍ଥା ଉପୁଜିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଜଣାଇଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଉତ୍ତର ପ୍ରଦେଶର ପୋଲିସ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଅକ୍ସିଜେନ ଟ୍ୟାଙ୍କର ଗୁଡ଼ିକୁ ଅଟକାଇ ରଖିଥିବାରୁ ଦିଲ୍ଲୀରେ ତାହା ଠିକ ସମୟରେ ପହଞ୍ଚିପାରୁ ନାହିଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଚିଠି ଉଲ୍ଲେଖ କରିଛନ୍ତି ।

ଅନ୍ୟ ପଟେ କରୋନା କାଳରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଅକ୍ସିଜେନକୁ ନେଇ ହାହାକାର ସ୍ଥିତି । ଦୈନିକ ସଂକ୍ରମଣ ଶିଖର ଛୁଇଁଥିବା ବେଳେ ଅକ୍ସିଜେନ୍ ଅଭାବ ଏବେ ସବୁଠୁ ବଡ଼ ସଙ୍କଟ ସୃଷ୍ଟି କରିଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ଦୈନିକ ବହୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ଅନେକ ରାଜ୍ୟରେ ମାତ୍ର କେଇ ଘଣ୍ଟା ପାଇଁ ଅକ୍ସିଜେନ୍ ଷ୍ଟକ ରହିଛି । ଏଭଳି ସ୍ଥିତିରେ ଦେଶରେ ଅକ୍ସିଜେନ୍ ସିଲିଣ୍ଡର ଷ୍ଟକକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ଦେଶରେ ଲିକୁଇଡ୍ ଅକ୍ସିଜେନ୍ ଆବଶ୍ୟକ ପରିମାଣର ଷ୍ଟକ ଅଛି । ହେଲେ ଟ୍ରାନ୍ସପୋର୍ଟିଂ ସୁବିଧା ନ ଥିବାରୁ ଫ୍ୟାକଟ୍ରିରୁ ହସ୍ପିଟାଲ ଅକ୍ସିଜେନ ପହଞ୍ଚି ପାରୁନି ବୋଲି କହିଛି ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା ସବୁଠୁ ବଡ଼ କମ୍ପାନୀ । ମହାରାଷ୍ଟ୍ରରେ ସବୁଠୁ ଅଧିକ ଅକ୍ସିଜେନ୍ ମାନୁଫାକଚରିଂ ଫ୍ୟାକଟ୍ରି ରହିଛି । ଗୁଜୁରାଟରେ ମଧ୍ୟ ବହୁ କମ୍ପାନୀ ଅକ୍ସିଜେନ୍ ପ୍ରସ୍ତୁତ କରୁଛନ୍ତି । ହେଲେ ମଧ୍ୟପ୍ରଦେଶରେ ଗୋଟିଏ ବି ମାନୁଫାକଚରିଂ କମ୍ପାନୀ ନ ଥିବାରୁ ଏହା ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ଟ୍ରାନ୍ସପୋର୍ଟ ଓ ଡିଷ୍ଟ୍ରିବ୍ୟୁସନ ଠିକ୍ ଭାବେ ହୋଇପାରୁ ନ ଥିବାରୁ କେତେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖିବାକୁ ମିଳିଛି ।

Leave a Reply