ଆଜି ହୋଇପାରେ ଅଫତାବ୍‌ଙ୍କ ନାର୍କୋ ଟେଷ୍ଟ, ଗୋଟିଏ ପରେ ଗୋଟିଏ ଖୋଲୁଛି ଗୁମର

ନୂଆଦିଲ୍ଲୀ: ଜହ୍ଲାଦ ପ୍ରେମିକ ଅଫତାବ ହାତରେ କାହିଁକି ଗଲା ଜୀବନ । କ’ଣ ଦୋଷ ଥିଲା ପ୍ରେମିକା ଶ୍ରଦ୍ଧା ଓ୍ବାକରଙ୍କର ? ହତ୍ୟା ଦିନ ଅର୍ଥାତ ମେ ମାସ ୧୮ ତାରିଖରେ କଣ ଘଟିଥିଲା ? ପୋଲିସ ହେପାଜତରେ ଥାଇ ଗୋଟି ଗୋଟି ଗୁମର ଖୋଲୁଛି ଅଫତାବ । ହତ୍ୟା ଘଟଣାର ଦୀର୍ଘ ଦିନ ପୂର୍ବରୁ ସେମାନଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା । ବିଶେଷ କରି ସେ ରହୁଥିବା ଘରର ଭଡ଼ା କିଏ ଦେବ ତାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଏହାକୁ ନେଇ ଘର ମାଲିକ ମଧ୍ୟ ପୂର୍ବରୁ ଖୁଲାସା କରିଛନ୍ତି ।

ଘଟଣା ଦିନ ଶ୍ରଦ୍ଧା କିଛି ଘର କରଣା ସାମଗ୍ରୀ କିଣି ଥିବା ବେଳେ ତାକୁ ନେଇ ମଧ୍ୟ ଝଗଡ଼ା ହୋଇଥିଲା । ଅଯଥାରେ କାହିଁକି ଏତେ ଖର୍ଚ୍ଚ ବୋଲି ପ୍ରଶ୍ନ କରିଥିଲା ଅଫତାବ । ଯାହାକୁ ନେଇ ଶ୍ରଦ୍ଧା ରାଗିବା ସହ ଦିନସାରା ଅଫତାବ କୁଆଡେ ଯାଇଥିଲା, କାହାସହ ବୁଲୁଥିଲା ତାର ଟିଖିନିଖି ଖବର ମାଗିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମାରଧର କରିଥିଲା ଅଫତାବ । ଜୀବନରୁ ମାରିଦେବା ପାଇଁ ଯେମିତି ନିଜକୁ ନିଜେ ପ୍ରତିଜ୍ଞା କରିବସିଥିଲା ଅଫତାବ । ପ୍ରବଳ ମାଡ଼ ମାରିବା ସହ ମୁଣ୍ଡରେ ଆଘାତ ଯୋଗୁଁ ଶ୍ରଦ୍ଧାର ସେହି ଘରେ ହିଁ ମୃତ୍ୟୁ ହୋଇଥିଲା ।

ଘଟଣା ପରେ ଶବକୁ ଦେଖି କିଛି ସମୟ ପାଇଁ ଡରି ଯାଇଥିଲା ଅଫତାବ । ଶବ ସହ କଣ କରିବ ତାକୁ ନେଇ ରାତି ସାରା ଚିନ୍ତା କରିଥିଲା । ଶେଷରେ ତା ପରଦିନ ସକାଳୁ ଏକ ଛୁରୀ ଆଣି ମୃତ ଦେହକୁ ଖଣ୍ଡ ଖଣ୍ଡ କାଟିବା ଆରମ୍ଭ କରିଥିଲା । ତାପର ଦିନ ପୁଣି ବଜାରକୁ ଯାଇ ଏକ ଫ୍ରିଜ୍ କିଣିଥିଲା ଅଫତାବ । ୩୫ ଖଣ୍ଡ କରି କାଟିଥିବା ମୃତଦେହକୁ ସେ ଫ୍ରିଜ୍‌ରେ ରଖିଥିଲା । ପରେ ଘର ଚଟାଣରେ ଲାଗିଥିବା ରକ୍ତ ଦାଗକୁ ପୋଛିବା ପାଇଁ ଏସିଡର ମଧ୍ୟ ବ୍ୟବହାର କରିଥିଲା ।

ମୃତ ଦେହର ଗନ୍ଧ ଯେମିତି ପଡୋଶୀ ଲୋକ ବାରିନପାରନ୍ତି ସେଥିପାଇଁ ଅଫତାବ ଘର ଭିତରେ ଅତ୍ୟଧିକ ମାତ୍ରାରେ ଧୂପ ବ୍ୟବହାର କରିଥିଲା । ଅଫତାବକୁ ପୋଲିସ ଜେରା କରିବା ପରେ ହତ୍ୟା ଘଟଣାର ସେ ଏଭଳି କିଛି ଗୁମର ଖୋଲିଛି ।