ବଲାଙ୍ଗୀରରେ ଗଡ଼ିପାରୁନି ବିକାଶ ଗାଡ଼ି, ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଆସୁନି କେବିକେ ଅନୁଦାନ

1 min read

ବଲାଙ୍ଗୀର : ବଲାଙ୍ଗୀରକୁ ଭୋକର ଭୁଗୋଳରୁ ବିକଶିତ ଜିଲ୍ଲାର ଭାବେ ଗଢି ତୋଳିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ଆର୍ଥିକ ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜଳସେଚନ କରାଯାଇଥିଲା ଫୋକସ । ହେଲେ ଏବେ ବିକାଶ ବିକାଶର ଗାଡ଼ି ଗଡ଼ିବାର ନାଁ ନେଉନି । ଜିଲ୍ଲାରେ ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ଖାଲିଥିବା ବେଳେ କେବିକେ ବିକାଶ ଅନୁଦାନ ଆସିନାହିଁ  I ଅନ୍ୟପଟେ ଜିଲ୍ଲାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି । ଜିଲ୍ଲାରେ ରବିୠତୁ ପାଇଁ ୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରିବାକୁ କମିଟି ବୈଠକରେ ସ୍ଥିର କରାଯାଇଥିଲା । କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ ସାଢେ ୫ ଲକ୍ଷ କୁଇଣ୍ଟାଲ ଧାନ କିଣୁଥିବା ଜଣାପଡିଛି I ଅଧିକ ୨ ଲକ୍ଷ କୁଇଣ୍ଟାଲ ଧାନ କେଉଁଠୁ ଆଣିଲେ ବୋଲି ବଲାଙ୍ଗୀର ବିଧାୟକ ଓ ରାଜ୍ୟସଭା ସାଂସଦ ପ୍ରଶ୍ନ କରିଛନ୍ତି  I

ଅନେକ ସମୟରେ ଜିଲ୍ଲାରେ ବିକାଶ କାମକୁ ନେଇ ବିଭିନ୍ନ ସ୍ଥାନରେ ଧାରଣା ଦେଉଛନ୍ତି ଜନ ପ୍ରତିନିଧି । ଗତ ୨୪ ଓ ୨୫ ଦୁଇଦିନ ଧରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ନେତୃତ୍ବରେ ଜିଲ୍ଲାର ପାଖାପାଖି ୨୫ ଜଣ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ଆନ୍ଦୋଳନରେ ବସିଥିଲେ । ପୂଜା ଥାଳି ଧରି ଘଣ୍ଟ ବଜାଇ ଜିଲ୍ଲାପାଳ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ପ୍ରତିବାଦ କରିଥିଲେ I ଶେଷରେ ଜିଲ୍ଲାପାଳ ଆନ୍ଦୋଳନ ସ୍ଥାନକୁ ଯାଇ ଦାବିପତ୍ର ଗ୍ରହଣ କରିଥିଲେ  I ସେହିପରି ପାଟଣାଗଡ଼ ବ୍ଲକ ଓ ଏନ୍ଏସି ସମୁଖରେ ଗତ କିଛିଦିନ ହେଲା ଲୋକ ପ୍ରତିନିଧି ଧାରଣାରେ ବସିଛନ୍ତି  I ଏନେଇ ଜିଲ୍ଲା ପରିଷଦ ବୈଠକରେ ମଧ୍ଯ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା I ଏକ ରିଜୋଲୁସନ କରି ସରକାରଙ୍କୁ ପଠା ଯାଇଛି । ତେବେ  ଏନେଇ ବଲାଙ୍ଗୀର ଜିଲ୍ଲାପାଳ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ ସାଂସଦ କଡା ସମାଲୋଚନା କରିଛନ୍ତି I