ସମ୍ୱଲପୁର ସ୍ଥିତିକୁ ନେଇ ଡିଜିପି କଲେ ସମୀକ୍ଷା

ସମ୍ୱଲପୁର: ଆଇନଶୃଙ୍ଖଳା ସ୍ଥିତିରେ ଆସୁଛି ସୁଧାର । ସହରରେ କୋହଳ ହେଲା କର୍ଫ୍ୟୁ ସମୟ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକ ମାନେ । ସେହିପରି ଅପରାହ୍ଣ ୩ଟା ୩୦ରୁ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ଏହାସହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ସମ୍ପ୍ରଦାୟର ମୁଖିଆମାନେ ଯୋଗଦେଇଥିଲେ । ସହରରେ ଖୁବଶୀଘ୍ର ଶାନ୍ତି ଫେରା ଆଣିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ପରିସ୍ଥିତିରେ ଅଧିକ ଉନ୍ନତି ଆସିଛି । ଦିନେ ଦୁଇଦିନ ଭିତରେ ସ୍ଥିତି ସ୍ବାଭାବିକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ । ସେପଟେ ଆଇନଶୃଙ୍ଖଳା ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଆଇଜି, ଏଡିଜି ଓ ଏସପି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି । ବୈଠକ ପରେ ଏସପି କହିଛନ୍ତି, ଅନେକ ଲୋକ ହିଂସାକାଣ୍ଡ ଘଟାଇ ଜିଲ୍ଲା ବାହାରକୁ ପଳାଇଛନ୍ତି । ଭିଡିଓ ଫୁଟେଜ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରାଯାଉଛି । ଖୋଦ ପୋଲିସ ଡିଜି ଘଟଣାକୁ ପ୍ରତ୍ୟେକ୍ଷ ଭାବେ ନିରକ୍ଷଣ କରୁଛନ୍ତି । ହିଂସାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ । କାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ।