ଜଙ୍ଗଲରେ ଚଳିବନି ଜଙ୍ଗଲରାଜ, ହାର୍ଡକୋରଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର: ଜଙ୍ଗଲରେ ଚଳିବନି ଜଙ୍ଗଲରାଜ । ହାର୍ଡକୋରଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ । ସୁଧୁରିଯାଅ ନହେଲେ ପୋଲିସ ଦେଖାଇବ ଅସଲ ରୂପ । ମାଓବାଦୀରୁ ମିଲିସିଆ, ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ତାପରଙ୍ଗ ଜଙ୍ଗଲରେ ଗୁଳିବିନିମୟ ଫଳରେ ୩ ମାଓବାଦୀ ନିହତ ହୋଇଛନ୍ତି । ଆହତ ପୋଲିସ ଡିଏସପି ଏୟାରଲିଫ୍ଟ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କୁ ଆଜି ପୋଲିସ ଡିଜି, ଏଡିଜି ଅପରେସନ, ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ଭେଟିଛନ୍ତି । ଅସ୍ତ୍ରୋପଚାର ପରେ ଗୋଡ଼ରୁ ଗୋଟିଏ ଗୁଳି ବାହାର କରାଯାଇଛି । ସେପଟେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଲ୍ୟାଣ୍ଡମାଇନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଡିଜିପି । ଓଡ଼ିଶା ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ଦ୍ରୁତ ବିକାଶ ଚାଲିଥିବା ବେଳେ ଏଥିରେ ସାମିଲ ହେବାକୁ କହିଛନ୍ତି ସୁନୀଲ ବଂଶଲ ।

ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ୩୫ ହଜାର ଟଙ୍କା, ୪ ଡିସିମିଲ୍ ଜାଗା କିଣିବାକୁ ୨୫ ହଜାର, ଘର ତିଆରି ପାଇଁ ୪୫ ହଜାର ଟଙ୍କା, ପାଠପଢ଼ା ବାବଦକୁ ୩ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ବିଗତ ବର୍ଷରେ ଯୋଗ୍ୟ ବିବେଚିତ ହୋଇଥିବା ୨୨୪ ଜଣ ମାଓବାଦୀଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ୬ କୋଟି ୭୩ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିବା ଗୃହ ବିଭାଗରୁ ସୂଚନା ମିଳିଛି । ଏଣୁ ନିଜର ଦାବି ପୂରଣ ପାଇଁ ନିରୀହଙ୍କ ଜୀବନ ନେବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମାନବାଧିକାର କର୍ମୀ । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି । ଏଣୁ ମାରଣାସ୍ତ୍ର ଛାଡ଼ି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ।