ଆସିକା : ଅକ୍ଟୋବର, ୨୦୨୫ । ବାତ୍ୟା ‘ମୋନ୍ଥା’ର ଲଗାଣ ବର୍ଷା ଉଜାଡିଦେଲା ଘର । କାହାର ଛପର ଉଡ଼ିଗଲା । କାହାର କାନ୍ଥ ଭାଙ୍ଗିଗଲା । ବାସହରା ହୋଇଗଲେ ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତ ଚେମିଡ଼ିହିଲ ଗାଁର ୫ ପରିବାର । ସେଥିମଧ୍ୟରୁ ଜଣେ କ୍ଷତିଗ୍ରସ୍ତ ହେଉଛନ୍ତି ବେନା ରହିତ । ୨୮ ଅକ୍ଟୋବର ରାତିରେ ସେ ନିଜ ସ୍ତ୍ରୀ ଓ ଚାରି ଛୁଆଙ୍କ ସହ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡିଥିଲା । ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନଥିଲା । କିନ୍ତୁ ବଞ୍ଚିବାର ସମ୍ବଳ ନଷ୍ଟ ହୋଇଯାଇଥିଲା । ସେହିପରି ବିବାନ ଶବରଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଥିଲା । ଏଯାଏଁ ଭଙ୍ଗା କୁଡ଼ିଆରେ କାଳ କାଟୁଛନ୍ତି ୫ ପ୍ରାଣୀ କୁଟୁମ୍ବ । ହେଲେ ସେମାନଙ୍କ ପାଖେ ସରକାରୀ ସହାୟତା ପହଞ୍ଚି ପାରିନାହିଁ ।
ସେହି ସମୟରେ ପ୍ରଶାସନିକ ଅଧିକାରୀ ଗାଁକୁ ଯାଇ ସର୍ଭେ କରିଥିଲେ । ସହାୟତା ବାବଦକୁ କେବଳ ପଲିଥିନ ଖଣ୍ଡେ ଖଣ୍ଡେ ଦେଇ ଚାଲିଗଲେ । ସରକାରୀ ରିପୋର୍ଟ ଅନୁଯାୟୀ, ପୂରା ବ୍ଲକର ପ୍ରାୟ ୮ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ବି ବିପନ୍ନ ପରିବାରକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇନାହିଁ । ଭଙ୍ଗାଦଦରା ମାଟି ଘରେ ପାଲ ଟାଙ୍ଗି କାଳ କାଟୁଛନ୍ତି ଲୋକେ । ଅନ୍ୟପଟେ ସମସ୍ତ ବିପନ୍ନ ପରିବାରକୁ ଖୁବଶୀଘ୍ର ପକ୍କା ଘର ଯୋଜନାରେ ସାମିଲ କରାଯିବ ବୋଲି ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କେବେ ବିପନ୍ନଙ୍କ ଗୁହାରି ସରକାର ଶୁଣୁଛନ୍ତି ? ତାକୁ ହିଁ ଅପେକ୍ଷା ।
ବାତ୍ୟା ମୋନ୍ଥାରେ କ୍ଷତିଗ୍ରସ୍ତ ପରିବାକୁ ଏଯାଏଁ ମିଳିନି ସହାୟତା

