ଶିକ୍ଷା ବ୍ୟବସ୍ଥାର ବିଚିତ୍ର ବ୍ୟବସ୍ଥା, ଗୋଟିଏ ଭଙ୍ଗା ଘରେ ଚାଲୁଛି ପାଞ୍ଚ ଶ୍ରେଣୀ ପାଠପଢା

ଧର୍ମଗଡ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ଗୋଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହ । ତାହା ପୁଣି ଭଙ୍ଗା ଦଦରା । କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଫଡାଫଡା କରି ପ୍ଲାଷ୍ଟର ଖସି ପଡିଲାଣି । କେତେବେଳେ କିଛି ଅଘଟଣ ଘଟିପାରେ । ଆଉ ତାହାରି ଭିତରେ ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ । କାହିଁକି ନା ଆଉ କୌଣସି ବିକଳ୍ପ ବ୍ୟବସ୍ଥା ହିଁ ନାହିଁ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରଏନଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୩ ଜଣ ପିଲା ପଢୁଛନ୍ତି । ହେଲେ ବିଡମ୍ବନାର ବିଷୟ ପିଲାଙ୍କ ପାଇଁ ଭଲ ଶ୍ରେଣୀ ଗୃହଟିଏ ନାହିଁ । ଫଳରେ ଭଙ୍ଗା ଦଦରା ଘରେ ଏକାଠି ବସି ପଢୁଛନ୍ତି ସମସ୍ତେ ।
୧୯୭୨ ମସିହାରେ ତିଆରି ହୋଇଥିବା ଏହି ସ୍କୁଲରେ ଅଛନ୍ତି ଦୁଇ ଜଣ ଶିକ୍ଷକ । ହେଲେ ସ୍କୁଲ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବର୍ଷା ଦିନେ ଛାତରୁ ପାଣି ଗଳୁଛି । ଅତ୍ୟଧିକ ବର୍ଷା ହେଲେ ପାଠପଢା ବନ୍ଦ ହୋଇଯାଉଛି । ସ୍କୁଲ ସମସ୍ୟା ନେଇ ଅନେକ ଥର ଶିକ୍ଷକ ଓ ଅଭିଭାବକ ମାନେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନାହିଁ । ସେପଟେ ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ତୁରନ୍ତ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଦାବି ହେଉଛି ।