ଧର୍ମଗଡ : ସରିଆସିଲାଣି ଡେଡଲାଇନ । ଏଯାଏଁ କିନ୍ତୁ ମଣ୍ଡିରୁ ଉଠିଲାନି ଧାନ । ବେଫିକର ମିଲର । ଖୋଲା ଆକାଶ ତଳେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । କଳାହାଣ୍ଡି ଜିଲ୍ଲାରେ ଚରମ ସୀମାରେ ପହଞ୍ଚିଛି ମଣ୍ଡି ସମସ୍ୟା । ଧର୍ମଗଡ ବ୍ଲକ ନନ୍ଦ ଗାଁ ସମବାୟ ସମିତି ଅଧୀନରେ ଥିବା ବୋଡେନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ବୋଡ଼େନ ମଣ୍ଡିରେ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୮୩୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୧୦ରୁ ଉର୍ଦ୍ଧ୍ଵ ଚାଷୀଙ୍କ ଧାନ ଏଯାଏଁ ଉଠିନାହିଁ । କାହାର ଟୋକନ ଲାପ୍ସ ହୋଇଗଲାଣି ତ କାହାର ନାଁକୁ ମାତ୍ର ଧାନ କିଣାଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।
କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଥିଲା । ଏବେ ବିଭିନ୍ନ ମଣ୍ଡି ବନ୍ଦ ହୋଇଗଲାଣି । ହେଲେ ବିଭିନ୍ନ ମଣ୍ଡିରେ ଏବେ ବି ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ । ଖରା ବର୍ଷାକୁ ଖାତିର ନକରି ଚାଷୀ ବର୍ଷକର ଆହାରକୁ ଜଗି ବସୁଛନ୍ତି । ହେଲେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର ଆସୁ ନଥିବାରୁ ଧାନ ଉଠିପାରୁନାହିଁ ବୋଲି କହିଛନ୍ତି କ୍ରୟ ଅଧିକାରୀ । ଧାନ ବିକ୍ରିରୁ ବାଦ ପଡିଥିବା ଚାଷୀଙ୍କ ଧାନ କିଣିବେ ତ ସରକାର ?
ସରିଆସିଲାଣି ଡେଡଲାଇନ, ଏଯାଏଁ ମଣ୍ଡିରୁ ଉଠୁନି ଧାନ…

