spot_img

Latest Posts

ମନ୍ଥର ଗତିରେ ଚାଲିଛି କଳାହାଣ୍ଡି ଜିଲ୍ଲା ଗୋତାମୁଣ୍ଡା- ଡାହିନାଗୁଡା ରାସ୍ତା କାମ

ଧର୍ମଗଡ : ବିତିଲାଣି ୩ ବର୍ଷ । ଏଯାଏଁ ସରୁନି ରାସ୍ତା କାମ । ସମସ୍ୟା ଭୋଗୁଛନ୍ତି ଉପାନ୍ତବାସୀ । କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳରୁ ନବରଙ୍ଗପୁରକୁ ଯାତାୟାତ ସୁଗମ ପାଇଁ ମାଷ୍ଟରପ୍ଲାନ ତିଆରି କରିଥିଲେ ନବୀନ । ଗୋତାମୁଣ୍ଡା ସାହାଜଖୋଲ ଦେଇ ଡାହିମାଲ ଡାହିନାଗୁଡା ୭ କିଲୋମିଟର ରାସ୍ତା ପାଇଁ ୭ କୋଟି ୫୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା କାମ ବି ଚାଲିଛି । ହେଲେ ଆଜକୁ ତିନି ବର୍ଷ ହେଲା କାମ ସରୁନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପୂର୍ବରୁ ଦଣ୍ଡପଟ ଅଞ୍ଚଳର ଲୋକେ ଝରିଗାଁ ଓ ଉମରକୋଟ ଯିବାକୁ ହେଲେ ୬୦ ରୁ ୭୦ କିଲୋମିଟର ବୁଲିକି ଯାଉଥିଲେ । ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଲୋକଙ୍କ ଯାତାୟାତରେ ବାଧା ଉପୁଜାଉଥିଲା । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏହି ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରୁଥିଲେ । ହେଲେ ରାସ୍ତା କାମ ସରିବାର ନାଁ ଧରୁନି । ଆବୁଡା ଖାବୁଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ଏନେଇ କ୍ୟାମେରା ଆଗରେ ମୁହଁ ଖୋଲୁ ନାହାନ୍ତି ବିଭାଗୀୟ ଅଧିକାରୀ । କେବେ ଗୋତାମୁଣ୍ଡା- ଡାହିନାଗୁଡା ରାସ୍ତା କାମ ଶେଷ ହେଉଛି ? କେବେ ଉପାନ୍ତବାସୀଙ୍କ ସ୍ଵପ୍ନ ପୂରଣ ହେଉଛି ? ତାହା ଉପରେ ସମସ୍ତଙ୍କ ରହିଛି ନଜର ।

Latest Posts

Don't Miss