ଢେଙ୍କାନାଳ : ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସନ୍ଧ୍ୟା ୫ଟାରେ ଝାଡଦୀପ ପ୍ରଜ୍ୱଳିତ । ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ନେପାଳ, ଗୁଜରାଟ, ଆସାମ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟରୁ ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଚଳିତବର୍ଷ ମାଘ ମେଳା ୧୫୩ ବର୍ଷରେ ପହଞ୍ଚିଛି। ପ୍ରସିଦ୍ଧ ମାଘମେଳା ଅବସରରେ ମହିମା ପୀଠରେ ଗାଦୀମନ୍ଦିର, ବତୀ ମନ୍ଦିର, ଧୂନୀ ମନ୍ଦିର ଓ ଶୂନ୍ୟ ମନ୍ଦିର ଆଦି ଗୁଡିକରେ ଝାଡଦୀପ ପ୍ରଜ୍ୱଳିତ ହେବ । ସମଗ୍ର ବିଶ୍ୱ ଓ ଜୀବଜଗତର ମଙ୍ଗଳ କାମନା ପାଇଁ ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ଘୃତାହୂତୀ କରିବେ । ସେପଟେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯୋରନ୍ଦା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର କରିବେ ଶିଳାନ୍ୟାସ।
ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୨ଜଣ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି, ୧୬ଜଣ ଇନ୍ସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ରହିବେ। ମେଳା ଜଗିବେ ୧୪ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ୧୫ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହେବେ । ସନ୍ଧାନୀ କୁକୁର, ମେଟାଲ ଡିଟେକ୍ଟର ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା ସମେତ ୮ଟି ଡକାୟତି ସ୍କ୍ୱାର୍ଡ ମଧ୍ୟ ମୁତୟନ ହେବେ । ଚଳିତ ବର୍ଷ ମେଳାରେ ଦଶ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରଖାଯାଇଛି।

