ଇନଷ୍ଟାଗ୍ରାମ ଓ ରିଲ୍ସକୁ ନେଇ ମହାଭାରତ, ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହରେ ନୃଶଂସ ସାଜିଛି ସ୍ଵାମୀ

ଢେଙ୍କାନାଳ : ଇନଷ୍ଟାଗ୍ରାମ ଓ ରିଲ୍ସକୁ ନେଇ ମହାଭାରତ । ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ ନେଇ ସ୍ଵାମୀର ନୃଶଂସ କାଣ୍ଡ । ରାତି ଅଧିଆ ତିନି ଜଣଙ୍କୁ ହାଣିଲା ସନ୍ଦେହୀ ସ୍ଵାମୀ । ରାଗରୁ ବାଦ ପଡିଲାନି ଜନ୍ମ କଲା ଝିଅ । ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆ ବନ୍ଧ ଗାଁରେ ଘଟିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ବଳଦିଆ ବନ୍ଧର ଶରତ ଚନ୍ଦ୍ର ପାତ୍ରଙ୍କ ୨୫ ବର୍ଷୀୟା ଝିଅ ସନ୍ତୋଷୀ ଜଗତସିଂହପୁର ଅଞ୍ଚଳର ମାନସ ଦାସଙ୍କୁ ବିବାହ କରିଥିଲେ । ବିବାହ ପରେ ମାନସ ନିଜ ଗାଁ ଛାଡି ଘର ଜ୍ଵାଇଁ ହୋଇ ସନ୍ତୋଷୀଙ୍କ ଘରେ ରହୁଥିଲେ । ସନ୍ତୋଷୀଙ୍କ ଦୁଇ ପୁଅ ଝିଅ ଥିଲେ ସୁଦ୍ଧା, ସେ ସୋସିଆଲ ମିଡିଆରେ ବେଶୀ ଜଡିତ ଥିଲେ । ସେସବୁକୁ ବାରଣ କରୁଥିଲେ ସ୍ଵାମୀ ମାନସ । ଯାହାକୁ ନେଇ ଉଭୟଙ୍କ ଭିତରେ ତିକ୍ତତା ଦେଖା ଦେଇଥିଲା । ଗତ କିଛି ଦିନ ହେବ ସନ୍ତୋଷୀଙ୍କର ଅନ୍ୟ ପୁରୁଷଙ୍କ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିଲେ ମାନସ । ଏ କଥାକୁ ମାନି ନଥିଲେ ସ୍ତ୍ରୀ ସନ୍ତୋଷୀ । ଗତ ୧୧ ତାରିଖ ରାତିରେ ଏହି ଘଟଣାକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ସ୍ଵାମୀ ମାନସ ଶ୍ଵଶୁର ଘର ଛାଡ଼ି ନିଜ ଘର ଜଗତସିଂପୁରକୁ ପଳାଇଥିଲେ । ୧୮ ତାରିଖ ଦିନ ସ୍ଵାମୀ ମାନସ ସନ୍ତୋଷୀଙ୍କ ଘରକୁ ଆସି ତାଙ୍କ ମୁଣ୍ଡକୁ ହାମରରେ ପିଟିଥିଲେ । ଝିଅର ପାଟି ଶୁଣି ବାପା ଆସିଥିବା ବେଳେ ଶ୍ବଶୁରଙ୍କୁ କଟୁରୀରେ ହାଣି ଦେଇଥିଲେ ମାନସ । ପରେ ନିଜ ୧୧ ବର୍ଷର ଝିଅକୁ ମଧ୍ୟ ହାଣି ଦେଇଥିଲେ । କୌଶଳବଶତଃ ଘରର ଅନ୍ୟ କିଛି ଲୋକ ତାଙ୍କୁ କାବୁ କରି ଏକ ଘରେ ପୂରାଇ ତାଲା ପକେଇ ଦେଇଥିଲେ । ସେହି ଘରେ ମାନସ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବାରୁ ସେ ଆହତ ହୋଇଛନ୍ତି । ଗୋବିନ୍ଦପୁର ପୋଲିସ ମାନସକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ବର୍ତ୍ତମାନ ସନ୍ତୋଷୀଙ୍କ ଝିଅ ଓ ସନ୍ତୋଷୀଙ୍କ ବାପା ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ତ୍ରୀ ସନ୍ତୋଷୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ମାନସ ପୂର୍ବରୁ ବିବାହ କରିଥିଲେ । ପୂର୍ବ ବିବାହକୁ ଲୁଚାଇ ସେ ସନ୍ତୋଷୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଏପରିକି ମାନସ ରସିକିଆ ମିଜାଜର ହୋଇଥିବା ସହ ତାଙ୍କ ନାଁରେ କିଛି ଅପରାଧିକ ମାମଲା ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ମାନସଙ୍କୁ ହେପାଜତରେ ରଖି ତଦନ୍ତ କରୁଛି ପୋଲିସ ।