ବାହାଘରର ତିନି ମାସ ପରେ ପ୍ରେମିକ ସହ ଗର୍ଭବତୀ ସ୍ତ୍ରୀ ଫେରାର

ଢେଙ୍କାନାଳ: ସାତ କଳସ ଆଠ ଦ୍ବୀପକୁ ସାକ୍ଷୀ ରଖି ହୋମ ନିଆଁରେ ସାତ ଜନମ ପାଇଁ ପରସ୍ପରର ହାତ ଧରିଥିଲେ । ବରର ରୋଷଣୀ ଓ ଡିଜେର ତାଳେ ତାଳେ ବର ପକ୍ଷ ମସଗୁଲ ହୋଇ ବିବାହର ମଜା ମଧ୍ୟ ନେଇଥିଲେ । ବିବାହ ସରିଥିଲା । ବହୁ ହସ ଖୁସିରେ ଚାଲିଥିଲା ନୂଆଁ ଦମ୍ପତିଙ୍କ ବିବାହ ଇନିଙ୍ଗସ । ହେଲେ ପ୍ରେମ ଆଗରେ ଫିକା ପଡିଗଲା ସବୁକିଛି । ତିନି ମାସର ଗର୍ଭବତୀ ସ୍ତ୍ରୀ ନିଜର ପ୍ରେମିକ ସହିତ ଫେରାର ମାରିଲା । ଆଉ ଧନ ବାଟକୁ ଚାହିଁ ବସିଛି ହତଭାଗା ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ନାରଦମୁଣ୍ଡା ଗାଁ ।

ଗାଁର ଦଣ୍ଡଧର ପ୍ରଧାନଙ୍କ ପୁଅ ତୃତୀୟା ପ୍ରଧାନ ବୈଦିକ ରୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପାଲଲହଡ଼ା ବ୍ଲକ ଖମାର ଥାନା ଖେମଳା ପଞ୍ଚାୟତ ଅନ୍ତର୍ଗତ ଘେନକାନି ଗାଁର ନବିନା କିଷାନଙ୍କ ଝିଅ ସୌଦାମିନୀଙ୍କୁ ଗତ ମାର୍ଚ୍ଚ ୩ ତାରିଖ ଦିନ ବିବାହ କରିଥିଲେ । ବ୍ୟାଣ୍ଡ ବାଜା ସାଙ୍ଗକୁ ଡିଜେର ତାଳେ ତାଳେ ଡେଇଁଥିଲେ ବର ଯାତ୍ରୀ । ହିନ୍ଦୁ ଧର୍ମର ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । କନ୍ୟା ଘର ଲୋକ ଝିଅକୁ ମଧ୍ୟ ଛାଡି ନେଇଥିଲେ । ହେଲେ ବିବାହ ହୋଇଥିବା ଝିଅର ମନ କିନ୍ତୁ ମାନୁ ନଥଲା । ମନ ଥିଲା ପୂର୍ବତନ ପ୍ରେମିକ ପାଖରେ ।

ପରିସ୍ଥିତିରେ ପଡି ସିନା ବିବାହ କରିଥିଲେ । ହେଲେ ସ୍ୱାମୀ ପ୍ରତି ତାଙ୍କର ମନ ଆଦୌ ନଥିଲା । ତେଣୁ ନିଜ କଷ୍ଟକୁ ରିଲ୍ସ କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଗୋଟିଏ କିମ୍ବା ଦୁଇଟି ନୁହେଁ, ୧୧ ଗୋଟି ଦୁଃଖପୂର୍ଣ୍ଣ ରିଲ୍ସ କରିଥିଲେ । ଯାହା ନିଜ ପ୍ରେମିକ ପାଖରେ ହୃଦୟର ବେଦନାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏକଥା ସ୍ୱାମୀ ତୃତୀୟା ଜାଣି ପାରିନଥିଲେ । ସୋସିଆଲ ସାଇଟରେ ନିଜ ଭାବପୂର୍ଣ୍ଣ ଅନ୍ତରର କଥାକୁ ସେୟାର କରିଥିଲେ ସୌଦାମିନୀ ଓରଫ ପୁରୀ । ନୂଆ ନୂଆ ବିବାହ କରିଥିବା ତୃତୀୟା କିନ୍ତୁ ସ୍ତ୍ରୀ ପୁରୀ ପାଇଁ ପାଗଳ ହୋଇଥିଲେ ।

ରଜ ଆସିଲା, ଆଉ ସଜବାଜ ହେଲା ସ୍ତ୍ରୀ ପୁରୀ । ଝିଅର ବାପ ଘର ଲୋକ ଆସି ପୁରୀକୁ ଘରକୁ ଡାକି ନେଇଥିଲେ । ଆଉ ଠିକ କିଛିଦିନ ପରେ ଶ୍ୱଶୁର ଘର ଲୋକ ଫୋନ କରି ତୃତୀୟାକୁ କହିଥିଲେ ଯେ ଝିଅ ରାତି ୯ଟାରେ କେଉଁ ଆଡେ ପଳେଇ ଯାଇଛି । ଏ କଥା ଶୁଣି ସତେ ଯେପରି ତୃତୀୟାଙ୍କ ମୂର୍ଦ୍ଦନା ଫାଟି ଗଲା । ଚାରିଆଡେ ସ୍ତ୍ରୀକୁ ଖୋଜିଲେ ହେଲେ ପାଇଲେ ନାହିଁ କିନ୍ତୁ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଅନ୍ୟ କେଉଁ ପୁରୁଷ ସହିତ ପଳେଇ ଯାଇଛି । ଏ ନେଇ ସେ ନିଜର ଦୁଃଖକୁ ପରିପ୍ରକାଶ କରିଛନ୍ତି । ଧନ ତୁ ଫେରିଆ ବୋଲି ନିବେଦନ ମଧ୍ୟ କରିଛନ୍ତି ସ୍ୱାମୀ ତୃତୀୟା ।

ସୌଦାମିନୀଙ୍କ ଇନଷ୍ଟାଗ୍ରାମ ରିଲ୍ସ ଗୁଡିକ ଦେଖିଲେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ ସେ ବିବାହକୁ ନେଇ ଡିପ୍ରେସନରେ ଥିଲେ । ଆଉ ସେ ରିଲ୍ସ ମାଧ୍ୟମରେ ନିଜ ପ୍ରେମିକକୁ ଶୀଘ୍ର ନେଇଯିବାକୁ ନିବେଦନ ମଧ୍ୟ କରିଥିଲେ । ଏଠି ନିଜ ଲୋକ ପର ବୋଲି ସେ ମଧ୍ୟ ରିଲ୍ସରେ କହିଥିଲେ । ତେବେ ପୁରୀ ବାହାଘରର ତିନି ମାସ ମଧ୍ୟରେ ତିନି ମାସର ଗର୍ଭବତୀ ମଧ୍ୟ ଥିଲେ । ଯାହା ସୂଚନା ଦେଇଛନ୍ତି ଗାଁର ଆଶା ଦିଦି । ଏବଂ ରଜ ପରେ ତାଙ୍କୁ ପ୍ରଥମ ଟୀକା ଦିଆଯିବ ବୋଲି ମମତା କାର୍ଡ ମଧ୍ୟ କରାଯାଇଥିଲା ।

ହେଲେ ପ୍ରେମରେ ଅନ୍ଧ ପୁରୀ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଝିଅର ବାପା ନବିନା କହିଛନ୍ତି । ସ୍ତ୍ରୀର ବାଟକୁ ଚାହିଁ ବସିଛି ସ୍ୱାମୀ ତୃତୀୟା । କଥା ଦେଇଥିଲା ମୁଁ ରଜରେ ଘରୁ ଆସିଲେ ବୁଲିବାକୁ ବାହାରକୁ ଯିବା । ହେଲେ ତୃତୀୟାକୁ ଆଜି ଠକି ଦେଇଛି ପୁରୀ । ପୁରୀ ପାଇଁ ପାଗଳ ପ୍ରାୟ ତୃତୀୟା । ଗାଁ ଲୋକ ୟାକୁ ନେଇ ସହଜରେ ବିଶ୍ୱାସ କରି ପାରୁନାହାନ୍ତି । ଏ ନେଇ ତୃତୀୟା ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି । ହେଲେ କଣ ହେବ । ଆଉ କଣ ପୁରୀ ଫେରି ଆସିବ ????? ଏ ସବୁକୁ ନେଇ ନିନ୍ଦା କରିଛନ୍ତି ଗ୍ରାମବାସୀ । ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡି ପ୍ରେମିକ ସହିତ ଗର୍ଭବତୀ ସ୍ତ୍ରୀ ଫେରାର ହୋଇଯିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ସ୍ତ୍ରୀର ବାଟକୁ ଚାହିଁ ବସି ରହିଛି ହତଭାଗା ସ୍ୱାମୀ ।