ପାଠପଢିବା ବୟସରେ କିଡନୀ ରୋଗରେ ଆକ୍ରାନ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ : ବୟସ ମାତ୍ର ଏଗାର । କଅଁଳ ବୟସରୁ ଜୀବନ ସହ କରୁଛନ୍ତି ସଂଘର୍ଷ । ଏ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଧାରପୁର ପଞ୍ଚାୟତ ଦିଲ୍ଲୀ ଗାଁର ଜୀବନ ନାଏକ । ଆଜିକୁ ଠିକ ୬ ବର୍ଷ ତଳେ ଅର୍ଥାତ ଜୀବନଙ୍କୁ ଯେତେବେଳେ ପାଞ୍ଚବର୍ଷ ହୋଇଥିଲା ସେବେଠାରୁ ସେ କିଡୀନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବାପା ରଞ୍ଜନ ନାଏକ ଓ ମାଆ ଗୀତାଞ୍ଜଳି ପୁଅର ଚିକିତ୍ସା କରିବାକୁ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏପରିକି ଜୀବନର ବାପା ଲୋକଙ୍କ ଠାରୁ ଧାର କରଜ କରିବା ସହ ଜମି ଡିହବି ବିକି ସାରିଲେଣି । ହେଲେ ଜୀବନ ସୁସ୍ଥ ହେବା ବଦଳରେ ଦିନକୁ ଦିନ ତାଙ୍କ ସ୍ଵାସ୍ଥ୍ଯବସ୍ଥା ବିଗିଡିବାରେ ଲାଗିଛି ।

ଡାକ୍ତରଙ୍କ କହିବା ମୁତାବକ ଜୀବନର କିଡନୀ ପ୍ରତିରୋପଣ ପାଇଁ ଆବଶ୍ଯକ ଲକ୍ଷାଧିକ ଟଙ୍କା । ହେଲେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାକୁ ଜୀବନର ଚିକିତ୍ସା ହୋଇପାରୁନି । ଆର୍ଥିକ ସହାୟତା ପାଇଁ ଏ ଅଫିସର ସେ ଅଫିସକୁ ଧାଇଁ ନୟାନ୍ତ ହେଲେଣି ପୂରା ପରିବାର । ଏପରି ସ୍ଥିତିରେ ଜୀବନଙ୍କ ଚିକିତ୍ସା ନିମନ୍ତେ ସରକାର ଆର୍ଥିକ ସହାୟତା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି ପରିବାର ସମେତ ଗ୍ରାମବାସୀ । ଜୀବନଙ୍କ ଚିକିତ୍ସା ପାଇଁ ସରକାର ଶୀଘ୍ର ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି ।