ସାଇବେରିଆ ପକ୍ଷୀ ପରି ବିରୋଧୀମାନେ ଆସୁଛନ୍ତି : ଦୀପାଳି ଦାସ

ଝାରସୁଗୁଡ଼ା : ବିରୋଧୀ ନିର୍ବାଚନବେଳେ ଆସିବେ । ମିଠା ମିଠା କଥା କହି ଭୋଟ ନେଇ ପଳେଇବେ । ତାପରେ ତାଙ୍କର ଆଉ ଦେଖା ମିଳିବନି । ତେଣୁ ସେମାନଙ୍କୁ ଚିହ୍ନି ରଖି ଉଚିତ ଜବାବ ଭୋଟରେ ଦିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଆଜି ଝାରସୁଗୁଡାରେ ନିର୍ବାଚନୀ ପ୍ରଚାରବେଳେ ବିଶାଳ ଜନସଭାକୁ ଉଦବୋଧନ ଦେଇ ଏହି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ବିଜେପି ସରକାର ଅମଳରେ ଦରଦାମ ବଢୁଛି । ଗ୍ୟାସ, ପେଟ୍ରୋଲ, ଡିଜେଲ ଦର କମିଲା ନାହିଁ । ଲୋକଙ୍କୁ ମିଛ କହି ଭୋଟ ନେଇ ଚାଲିଯିବେ । ତେଣୁ ସେମାନଙ୍କୁ ଠିକ୍ ଚିହ୍ନି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ ।

ଓଡ଼ିଶାର ପ୍ରଗତିର ଚିହ୍ନ ଶଙ୍ଖ ଚିହ୍ନ । ସ୍ବର୍ଗତ ନବ କିଶୋର ଦାସଙ୍କ ସଂଗ୍ରାମର ଫଳ ହେଉଛି କ୍ଯାନସର ହସ୍ପିଟାଲ । ଏଠାରେ ହାର୍ଟ କେୟାର ହସପିଟାଲ କରିବାକୁ ମଧ୍ଯ ସେ ଲକ୍ଷ୍ଯ ରଖିଥିଲେ । ତେଣୁ ଏବେ ସମୟ ଆସିଛି ତାଙ୍କ ଝିଅ ତଥା ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ । ତାଙ୍କୁ ଆଶୀର୍ବାଦ କଲେ ସେ ଝାରସୁଗୁଡାବାସୀଙ୍କ ସେବା କରିବେ ବୋଲି ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ସେହିପରି ଏସଏଚଜିକୁ ସର୍ବଦା ଗୁରୁତ୍ବ ଦିଅନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ବିଜେଡି ଇସ୍ତାହାରରେ ଏସଏଚଜି ମହିଳାଙ୍କୁ ପେନସନ ମିଳିବ ବୋଲି ଘୋଷଣା କରିଛନ୍ତି ।

ଏସଏଚଜି ସଦସ୍ଯାଙ୍କ ଦାବି ଥିଲା ୬୦ ବର୍ଷ ପରେ କଣ କରିବେ । ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ସେମାନଙ୍କ ଲାଗି ପେନସନ ଘୋଷଣା କରିଛନ୍ତି । ମହିଳାଙ୍କ ମୁହଁରେ ହସ ଫୁଟାଉଛନ୍ତି ମୁଖ୍ଯମନ୍ତ୍ରୀ । ତେଣୁ ଏସଏଚଜିରୁ ଆସିଥିବା ଦଳର ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ରଙ୍କୁ ଜୋରଦାର ଆଶୀର୍ବାଦ କରି ନିର୍ବାଚନରେ ବିଜୟୀ କରିବାକୁ ସମୟ ଆସିଛି ବୋଲି ପାଣ୍ଡିଆନ ଜନସଭାରେ ଅପିଲ କରିଛନ୍ତି । ଉଭୟ ପରିଣିତା ଓ ଦୀପାଳିଙ୍କୁ ବଡ଼ ବିଜୟ ଦେବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି । ଅନ୍ଯପଟେ ଦେଶରେ କାର୍ତ୍ତିକ ପାଣ୍ଡିଆନଙ୍କ ବିକଳ୍ପ ନାହାନ୍ତି । ଝାରସୁଗୁଡାର ବିକାଶ ଦିଗରେ ପାଣ୍ଡିଆନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଦୀପାଳି ଦାସ । ଏହାସହ ସେ ମଧ୍ଯ ବିରୋଧୀଙ୍କ ଉପରେ ଦରଦାମ, ନିଯୁକ୍ତି ନେଇ ବର୍ଷିଥିଲେ ଦୀପାଳି ।