ଡ୍ରାଇଭର ସଂଘ ଆନ୍ଦୋଳନର ଚତୁର୍ଥ ଦିନ, ଲିଖିତ ପ୍ରତିଶ୍ରୁତି ନଦେଲେ ଆନ୍ଦୋଳନରୁ ନହଟିବାକୁ ସଂଘର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଚାରି ଦିନ ହେଲା ରାଜ୍ୟରେ ପରିବହନ ସେବା ଠପ। ସମସ୍ୟାର ସମାଧାନ ପରିବର୍ତ୍ତେ ପରିବହନ ମନ୍ତ୍ରୀ ନିଆଁ ଢାଳିଛନ୍ତି ଘିଅ। ପରିବହନ ମନ୍ତ୍ରୀଙ୍କ ଆକ୍ଷେପ କଂଗ୍ରେସ ଡ୍ରାଇଭରଙ୍କୁ ନେଇ କରୁଛି ରାଜନୀତି। କ୍ରମାଗତ ଭାବେ ଚାରି ଦିନ ହେଲା ରାଜ୍ୟରେ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡିଛି। ପରିବହନ ସେବା ପୂରା ଠପ। ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ବଢିଲାଣି। ସେପଟେ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ପାଇଁ କଂଗ୍ରେସ ସଭାପତିଙ୍କ ଅନୁରୋଧରେ ଡ୍ରାଇଭର ମହାସଂଘ ଦିନକ ପାଇଁ ଆନ୍ଦୋଳନ କୋହଳ କରିବା ପରେ ମହାସଂଘ ନେତାଙ୍କୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ। ସେ ସିଧାସଳଖ କହୁଛନ୍ତି ମହାସଂଘର କିଛି ନେତାଙ୍କ ପାଇଁ ଡ୍ରାଇଭରମାନେ ହଇରାଣ ହେଉଛନ୍ତି। ଏଥିସହିତ କଂଗ୍ରେସ ଡ୍ରାଇଭରଙ୍କୁ ନେଇ ରାଜନୀତି କରୁଛି।ତେବେ ମନ୍ତୀ ସଂଘ ମଧ୍ୟରେ ଫାଟ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛି ଡ୍ରାଇଭର ମହାସଂଘ। ସରକାର ଯଦି ପୂରଣ କରିବାକୁ ଚାହୁଁଛନ୍ତି ତେବେ କାହିଁକି ଲିଖିତ ଆକାରରେ ଦେଉନାହାଁନ୍ତି ବୋଲି ମହାସଂଘ ପ୍ରଶ୍ନ କରିଛି। ଏଥିସହିତ ସରକାର ନ ଶୁଣିଲେ ଆଗକୁ ଆନ୍ଦୋଳନ ଭିନ୍ନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।
ସାରା ରାଜ୍ୟରେ ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଡ୍ରାଇଭରମାନେ ଓହ୍ଲାଇବା ଫଳରେ ଗମନାଗମନ ବ୍ୟବସ୍ଥା ଠପ ହୋଇଯାଇଛି। ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ମୁଣ୍ଡ ଫଟା ଖରାରେ ବସି ନାରାବାଜି କରୁଛନ୍ତି। ସରକାର ମହାସଂଘ ସହ ଆଲୋଚନା ସଫଳ ହୋଇଥିବା କହୁଥିବା ବେଳେ ଲିଖିତ ପ୍ରତିଶ୍ରୁତି ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଗୋଟିଏ ଦିନ ପାଇଁ ଆନ୍ଦୋଳନ କୋହଳ ହୋଇଥିଲେ ବି କାଲିଠୁ ପୁଣି ବିଗିଡିବ ସ୍ଥିତି। ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତର ଶିକାର ହେଉଛନ୍ତି। ସରକାର କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି।