ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛନ୍ତି ବୁଲା କୁକୁର, ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି

ଭୁବନେଶ୍ବର: ଭୁବନେଶ୍ବରରେ ସହରିଆଙ୍କୁ ଚିନ୍ତା ବଢାଇଛନ୍ତି ବୁଲା କୁକୁର । ବଢୁଛି କୁକୁର କାମୁଡା ଘଟଣା । ଦୈନିକ କ୍ୟାପିଟାଲ ହସ୍ପଟାଲରେ ଚିକିତ୍ସା ପାଇଁ ଲାଗୁଛି ଭିଡ଼ । ସେପଟେ କୁକୁର ବନ୍ଧ୍ୟାକରଣକୁ ନେଇ କୋର୍ଟରେ ମାମଲା ଥିବାରୁ ଦୀର୍ଘ ୪ ମାସ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ହୋଇପାରୁନାହିଁ । ଚଳିତ ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅନୁମତି ମିଳିବା ପରେ ବନ୍ଧ୍ୟାକରଣ ଜୋରଦାର କରାଯିବ ବୋଲି କହିଛନ୍ତି କମିଶନର ।

ରାଜଧାନୀରେ ପ୍ରତିଦିନ କୁକୁର କାମୁଡ଼ା ଅଙ୍କ ଛୁଉଁଛି ଦୁଇଶହ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଲାଗୁଛି ଭିଡ଼ । ମାସ ଶେଷ ସୁଦ୍ଧା ବନ୍ଧ୍ୟାକରଣ ଲାଗି କୋର୍ଟରୁ ମିଳିବ ଗ୍ରୀନ ସିଗନାଲ୍ । ଗଳି କନ୍ଦି ହେଉ କି ଘର । ବୁଲା ହେଉକୁ ପୋଷା କୁକୁର । ରାସ୍ତାରେ ଗଲା ବେଳେ ଅବା ଭୋରରୁ ଫୁଲ ତୋଳିବାକୁ ଗଲା ବେଳେ କାମୁଡ଼ାର ଶିକାର ହେଉଛନ୍ତି ଲୋକେ । କ୍ୟାପିଟାଲ ହସ୍ପିଟାଲରେ ଥିବା ଜଳାତଙ୍କ ପ୍ରତିଷେଧକ ଟୀକାକରଣ କେନ୍ଦ୍ରରେ ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତି ଟୀକା ନେବାକୁ ଛୋଟରୁ ବଡ, ଲାଗୁଛି ଲମ୍ବା ଲାଇନ । ବଡ଼ ଅପେକ୍ଷା ଛୋଟ ପିଲା କୁକୁର କାମୁଡ଼ାରେ ଅଧିକ ଶିକାର ହେଉଛନ୍ତି । କୁକୁର ଛୁଆ ଜନ୍ମ ଦେବା ପରେ ଆଗ୍ରେସିଭ ଥାଆନ୍ତି । ଫଳରେ ଛୋଟ ପିଲା ଖେଳିବାକୁ ଗଲାବେଳେ କାମୁଡ଼ାର ଶିକାର ହୁଅନ୍ତି ବୋଲି ଜଳାତଙ୍କ ଟୀକାକରଣ କେନ୍ଦ୍ର ହେଡ୍ ନର୍ସ ଉମା ରାଉତ କହିଛନ୍ତି ।

କୁକୁର ବନ୍ଧ୍ୟାକରଣକୁ ନେଇ କୋର୍ଟରେ ମାମଲା ଥିବାରୁ ୪ ମାସ ହେବ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ହୋଇପାରୁନାହିଁ । ଏହି ମାସ ଶେଷ ସୁଦ୍ଧା କୋର୍ଟଙ୍କ ଅନୁମତି ମିଳିବା ପରେ ବନ୍ଧ୍ୟାକରଣ ଜୋରଦାର କରାଯିବ । ଏବେ ମଞ୍ଚେଶ୍ବର ଅଞ୍ଚଳରେ ୨୫୦ କକ୍ଷ ବିଶିଷ୍ଟ କୁକୁର କେନେଲ ତିଆରି ହୋଇଛି । କେନେଲରେ ଦିନକୁ ୧୦୦ରୁ ଅଧିକ କୁକୁରଙ୍କ ବନ୍ଧ୍ୟାକରଣ କରାଯିବାର ବ୍ୟବସ୍ଥା ରହିଛି । ଏବିସି ପ୍ରୋଗାମର ଡେପୁଟି କମିଶନର ରମେଶ ଜେନା କେନେଲ ବୁଲି ଦେଖିଛନ୍ତି ।