ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ, ସଂଘର୍ଷରେ ଯାଉଛି ଉଭୟଙ୍କ ଜୀବନ
1 min read
ଭୁବନେଶ୍ୱର ; ତୃଟିପୂର୍ଣ୍ଣ ବ୍ୟବସ୍ଥା ବଢାଉଛି ହାତୀ ମଣିଷ ଲଢେଇ । ସଂଘର୍ଷରେ ଟଳିପଡୁଛନ୍ତି ହାତୀ, ବର୍ତ୍ତି ପାରୁନାହାନ୍ତି ଲୋକ । ଡ୍ରାଇଭିଂ ଆଉଟ ଅପରେସନ ଦ୍ୱାରା ହିଂସ୍ର ହେଉଛନ୍ତି ଗଜରାଜ । ହାତୀ ଯେତିକି ବିଶାଳକାୟ ସେତିକି ବୁଦ୍ଧିଆ । ମଣିଷର ବ୍ୟବହାର ବି ହାତୀ ଜାଣେ । ଫଳରେ ହାତୀର ମାନସିକତାକୁ ପ୍ରଭାବିତ କରଯାଉଥିବାରୁ ହାତୀ ଆକ୍ରମଣରେ ମଣିଷଙ୍କ ଜୀବନ ଯାଉଛି ବୋଲି କହିଛନ୍ତି ବିଶେଷଜ୍ଞ। ହାତୀ ପଲଙ୍କୁ ଘଉଡ଼ାଇବାକୁ ଯେଉଁ ପଦ୍ଧତି ଜଙ୍ଗଲ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଛି ତାହା ହିଁ ହାତୀ-ମଣିଷ ଯୁଦ୍ଧର କାରଣ ସାଜୁଛି । ତେଣୁ ଏହି ନୀତିରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ବୋଲି କୁହାଯାଇଛି। ଏଥିସହିତ ହାତୀ କରିଡର ମଧ୍ୟ ଆଉ ଏକ ପ୍ରମୁଖ କାରଣ । ବିଭିନ୍ନ ସ୍ଥାନକୁ ମାଇଗ୍ରେଟ କରନ୍ତି ହାତୀପଲ। ତେଣୁ ସରକାର ଅଞ୍ଚଳ ଚିହ୍ନଟ କରି କରିଡର ସୁରକ୍ଷିତ ରଖନ୍ତୁ । ଏଥିସହିତ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହୁନି । ଯେଉଁଥିପାଇଁ ହାତୀ ମୃତ୍ୟୁ ବଢୁଛି । ସେଥିପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମଣିଷ-ହାତୀ ସହାବସ୍ଥାନ, ଆହ୍ୱାନ ଓ ଭବିଷ୍ୟତ ପନ୍ଥାକୁ ନେଇ ଅନ୍ତର୍ଜାତୀୟ କର୍ମଶାଳାରେ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ ମଧ୍ୟ ହାତୀ ମଣିଷ ମଧ୍ୟରେ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ମଡେଲ ଉପସ୍ଥାପନ କରିଛନ୍ତି।
ହାତୀଙ୍କ ରହଣିସ୍ଥଳ ଜଙ୍ଗଲକୁ ଅତି ନିଷ୍ଠୁର ଭାବେ କଟାଯାଉଛି । ତେଣୁ ହାତୀ ମଣିଷ ଲଢେଇ ବଢୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀର ସୁରକ୍ଷା ଜରୁରୀ ବୋଲି କହିବା ସହ ଶିମିଳିପାଳ, ଢେଙ୍କାନାଳ, କେନ୍ଦୁଝରରେ ଓ ଅନ୍ୟ ଅଞ୍ଚଳରେ ଡେଡିକେଟେଡ କରିଡର ଓ ଜଳାଶୟ କରାଯିବ । ଜଙ୍ଗଲରୁ ହାତୀ କିଭଳି ଆସିବେ ନାହିଁ ସେଥିପାଇଁ ଜଙ୍ଗଲରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା ହେବ। ଜଙ୍ଗଲ ଭିତରେ ଧାନ ଚାଷ ହେବ । ଯାହାକୁ ହାତୀ ସହଜରେ ଖାଇପାରିବେ । ଖୁବ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରି ପଲିସି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ କହିବା କଥା କଟିଙ୍ଗ ଏଜ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ଏହି ଆଧାରରେ ହାତୀ ମୃତ୍ୟୁ ପାଇଁ ବ୍ୟକ୍ତି କିମ୍ବା ବିଭାଗ ଦାୟୀ ରହିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ମଣିଷ ହାତୀ ଲଢେଇ ବନ୍ଦ ପାଇଁ ଆଞ୍ଚଳିକ ଡିପିଆର ପ୍ରସ୍ତୁତ ହେବ । ବିଭିନ୍ନ ଅଞ୍ଚଳର ଭୌଗୋଳିକ ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ ସମାଧାନ ବାଟ କଢାଯିବ । ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର ଅଂଚଳରେ ହାତୀ ଅଧିକ କ୍ଷତି କରୁଛନ୍ତି। ତେଣୁ ସହାବସ୍ଥାନକୁ ନେଇ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବିଶେଷଜ୍ଞ ତଥା ଅନ୍ୟାନ୍ୟ ଅଂଶୀଦାରଙ୍କ ମିଳିତ ଆଲୋଚନା ପରେ ରାଜ୍ୟରେ ଏକ ବଡ଼ ପଲିସି ଆସିବ ବୋଲି କୁହାଯାଇଛି।