ରାଉରକେଲା: ଜଙ୍ଗଲରେ ସୁରକ୍ଷିତ ଗଜରାଜ । AI କ୍ୟାମେରା ଦେଇଛି ସୁରକ୍ଷା । ଏକବର୍ଷରେ ବଞ୍ଚାଇଲାଣି ୧୫୦ ହାତୀଙ୍କ ଜୀବନ । ରାଉରକେଲା ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦେଇଛି ବନ ବିଭାଗ । ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ବ୍ରିଜେଶ କୁମାର ରାଏ, ରାଉରକେଲା RCCF ରାମା ସ୍ବାମୀ ଓ ରାଉରକେଲା DFO ରବିକାନ୍ତ ମୀନା ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ AI କ୍ୟାମେରା ଲଗାଯାଇ ହାତୀଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି । ଏକବର୍ଷ ମଧ୍ୟରେ ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ ଏହି କ୍ୟାମେରା ଯୋଗୁଁ ୧୫୦ ହାତୀଙ୍କ ଜୀବନ ସୁରକ୍ଷା କରାଯାଇ ପାରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଉରକେଲା ବନଖଣ୍ଡର ଡୋଲାକୁଦର, କୁଚେଇତା, ମହିପାଣି, ସୋନାଖାନ ଓ ଖୁଣ୍ଟଗାଁ ଠାରେ ବନ ବିଭାଗ ପକ୍ଷରୁ AI କ୍ୟାମେରା ଲଗାଯାଇଛି । ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣା ରୋକିବା ପାଇଁ ଏହି ସ୍ଵତନ୍ତ୍ର ଉଦ୍ୟମ ସଫଳ ହେଉଛି । କ୍ୟାମେରା ଜରିଆରେ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ରାଉରକେଲା DFOଙ୍କ କାର୍ଯ୍ୟଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । କ୍ୟାମେରା ଜରିଆରେ ହାତୀ ପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପରେ ଟ୍ରେନର ଗତିବିଧି ନିୟନ୍ତ୍ରଣ କରି ବନ ଵିଭାଗର ସ୍ଵତନ୍ତ୍ର ଟିମ ହାତୀପଲଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ସଫଳ ହେଉଛନ୍ତି ।
ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ 120 ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ନିର୍ମାଣ କରାଯାଇ ଏଆଇ କ୍ୟାମେରା ଲଗାଯାଇଛି । ୫ କିଲୋମିଟର ଦୁରତ୍ଵ ପର୍ଯ୍ୟନ୍ତ କ୍ୟାମେରା କାମ କରୁଥିବା ବେଳେ ୩୬୦ ଡିଗ୍ରୀର ଦୃଶ୍ୟ ରେକର୍ଡ କରିପାରୁଛି ।….

