ଟ୍ୱିଟର ସିଇଓ ପଦରୁ ବିଦାୟ ନେବେ ଏଲନ ମସ୍କ, ୬ ସପ୍ତାହ ମଧ୍ୟରେ ଯୋଗଦେଇପାରନ୍ତି ନୂଆ ସିଇଓ

1 min read

ଓ୍ୱାଶିଂଟନ: ଟ୍ୱିଟରର ସିଇଓ ପଦରୁ ବିଦାୟ ନେବେ ଏଲନ୍ ମସ୍କ । ଖୁବ୍ ଶୀଘ୍ର ନୂଆ ସିଇଓ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ମସ୍କ କହିଛନ୍ତି- ସେ ଟ୍ୱିଟର ସିଇଓ ପଦ ଛାଡିବେ । ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଯୋଗଦେବେ । ନୂଆ ସିଇଓ ଲାଗି ଲିଣ୍ଡା ୟାକାରିନୋଙ୍କ ନାଁ ଚର୍ଚ୍ଚାରେ ଥିବା ସୂଚନା ମିଳିଛି । ୟାକାରିନୋ ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ସେଲ୍ସ ଏକଜିକ୍ୟୁଟିଭ ଅଛନ୍ତି । ମସ୍କଙ୍କ ସହ ୟାକାରିନୋଙ୍କ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ କ୍ରୟ କରିଥିବା ମସ୍କ ଟ୍ୱିଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି ମସ୍କ ।

ଗତବର୍ଷ ଡିସେମ୍ବର ଟ୍ୱିଟର ଫଲୋୟର୍ସଙ୍କୁ ନେଇ ହୋଇଥିବା ସର୍ଭରେ ମସ୍କ ସିଇଓ ପଦରୁ ହଟିବା ସପକ୍ଷରେ ମତଦେଇଥିଲେ ୫୭.୫ ପ୍ରତିଶତ ୟୁଜର । ଟ୍ୱିଟରର ନୀତି ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହୋଇଥିଲେ ଟେସଲା ଓ ସ୍ପେସ ଏକ୍ସପ୍ଲୋରେସନ ଟେକନୋଲୋଜିସ କର୍ପୋରେସନର ସିଇଓ । ଟ୍ୱିଟରକୁ କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ବରଂ ଏହାକୁ ଫିନାନସିଆଲ ସର୍ଭିସ ସମେତ ଅନ୍ୟାନ୍ୟ ସେବାଭିତ୍ତିକ ଆପରେ ପରିଣତ କରିବା ଲାଗି କହିଆସୁଛନ୍ତି ମସ୍କ ।