ପ୍ରି ଆକ୍ଟିଭେଟେଡ ସିମ୍ କାର୍ଡର ହବ ପାଲଟିଛି ଭୁବନେଶ୍ବର…

1 min read

ଭୁବନେଶ୍ୱର : କୁଆଡୁ ଆସୁଛି ପୁଳା ପୁଳା ବେନାମୀ ସିମ୍ କାର୍ଡ ? ପ୍ରି ଆକ୍ଟିଭେଟେଡ଼ ସିମ୍ କାର୍ଡର ହବ୍ ପାଲଟିଛି ଭୁବନେଶ୍ୱର । ଯମତରା ନୁହେଁ, ଡିଜିଟାଲ ଠକଙ୍କ ସେଫ୍ ପ୍ଲେସ ଏବେ ଭୁବନେଶ୍ୱର । ଟେଲିକମ କମ୍ପାନୀର ଅପାରଗତା ପାଇଁ ଚାଲି ଯାଉଛି କୋଟି କୋଟି ଟଙ୍କା । ରାଜଧାନୀରୁ ପୁଳା ପୁଳା ସିମ୍ ବକ୍ସ ଠାବ ଘଟଣା ହେଉ କିମ୍ବା ଚାନ୍ଦିପୁର ITR ତଥ୍ୟ ଲିକ୍ ଘଟଣା । ଅଥବା ରବିବାର ଦିନ ଚନ୍ଦକା ଥାନା ଦ୍ୱାରା ଗିରଫ ହୋଇଥିବା ସାଇବର ଅଭିଯୁକ୍ତ । ସାଇବର ଅପରାଧର ମୁଖ୍ୟ ଅସ୍ତ୍ର ପାଲଟିଛି ଫେକ୍ ବା ପ୍ରି ଆକ୍ଟିଭେଟେଡ଼ ସିମ୍ । ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ ଓ ଆସାମ ସମେତ ଓଡ଼ିଶା ପାଲଟିଛି ଫେକ୍ ସିମର ହବ । ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର ସ୍କାମ ଓ ଲୋନ୍ ଫ୍ରଡ଼ ପାଇଁ ଫେକ୍ ସିମ୍ ବ୍ୟବହାର କରାଯାଉଛି । କିନ୍ତୁ ଏସବୁ ପରେ ବି ଚେତା ପଶୁନି । ଶହେ ଟଙ୍କା ଦେଲେ ମିଳିଯାଉଛି ସିମକାର୍ଡ । ଛତା ତଳେ ମେଲିଛି ପସରା । ଭଲକରି ଦେଖନ୍ତୁ ଏ ଦୃଶ୍ୟ । ରାଜରାସ୍ତା କଡରେ ମିଳୁଛି ବେନାମୀ ସିମ୍ । ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ବିକ୍ରେତା ।

ପ୍ରତିଦିନ ଦେଶରେ ୬୦ ହଜାର ପାଖାପାଖି ସାଇବର ସମ୍ପର୍କିତ ଅଭିଯୋଗ ଆସିବା ବେଳେ କେବଳ ୨୦୨୩ରେ ୨ ଲକ୍ଷ ୯୫ ହଜାର ୪୬୧ ଟି ସିମ୍ କୁ ବ୍ଲକ କରାଯାଇଥିଲା । ଏହାସହ ଲିଙ୍କ ଥିବା ୨୮୧୦ ଟି ୱେବସାଇଟ, ୫୯୫ ମୋବାଇଲ ଆପ୍ଲିକେସନ, ୪୬ ହଜାର ୨୨୯ IMEI ନମ୍ବରକୁ ବ୍ଲକ କରାଯାଇଛି । ଓଡ଼ିଶାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ରାଇ ଓ ମୋବାଇଲ କମ୍ପାନୀ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ମଧ୍ୟ ଛତୁ ଫୁଟିବା ଭଳି ରାସ୍ତାକଡରେ ସିମ୍ କାର୍ଡ ବିକ୍ରି ହେଉଛି। ଏସବୁକୁ ରୋକିବାକୁ ଖୁବଶୀଘ୍ର ଆରମ୍ଭ ହେବ ଅପରେସନ । ଏଭଳି ବେନାମୀ ସିମ୍ ବିକ୍ରି କରୁଥିବା ସ୍ଥାନରେ ଚଢ଼ାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି । କଷ୍ଟମର କେୟାର, ରିଫଣ୍ଡ, ଅନଲାଇନ ବୁକିଂ, କେୱାଇସି, ସେକ୍ସର୍ଟସନ ଭଳି ସାଇବର ଫ୍ରଡ଼ରେ ମାତ୍ରାଧିକ ବେନାମୀ ସିମ୍ ର ବ୍ୟବହାର ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ଏସବୁକୁ ତୁରନ୍ତ ବନ୍ଦ କରିବାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।