spot_img

Latest Posts

ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲା ବିଜେପି ସରକାର, ବାରମ୍ବାର ଦୌଡ଼ିବା ପରେ ବି ମିଳୁନି ଟଙ୍କା

ଭୁବନେଶ୍ବର : ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି ସରକାର। ଧାନ ନେଇ ଅନ୍ନଦାତାଙ୍କୁ ଠକିଦେଲେ। ଧାନ ବିକା ଟଙ୍କା କେବେ ଦେବେ ସରକାର ? ଏ ପ୍ରଶ୍ନ ପଚାରି ନବରଙ୍ଗପୁରରୁ ରାଜଧାନୀକୁ ୫୦୦ରୁ ଅଧିକ କିଲୋମିଟର ଛୁଟି ଆସିଛନ୍ତି ଚାଷୀ। ନବରଙ୍ଗପୁର ରାଇଘର ଧାନ ମଣ୍ଡିରୁ ୩୪୪ ଜଣ ଚାଷୀଙ୍କୁ ଧାନର ବିକ୍ରୟ ବାବଦରେ ପ୍ରାପ୍ୟ ମିଳି ପାରିନାହିଁ। ଏହି ଚାଷୀଙ୍କ ପାଖରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣା ଯାଇଥିଲା। ଧାନ ବିକ୍ରି ବାବଦକୁ ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା ଚାଷୀଙ୍କୁ ଦେଇ ନାହାନ୍ତି ସରକାର। ୪ ମାସ ଧରି ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଗୁହାରୀ କରୁଥିଲେ ବି ସେମାନଙ୍କୁ ଦିଆଯାଉ ନାହିଁ ଟଙ୍କା। ଏହାର ପ୍ରତିବାଦରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ କରିଛନ୍ତି ଚାଷୀ। ଧାନବସ୍ତା ଓ ପ୍ଲା କାର୍ଡ ଧରି ବିଜେପି ସରକାରକୁ ନିଜର ପ୍ରାପ୍ୟ ମାଗିଛନ୍ତି ନବରଙ୍ଗପୁର ରାଇଘରର ଚାଷୀ।

ସେପଟେ ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲାର ଦୁଇ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ ଓ ରମେଶ ମାଝୀ । ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରୁ ୨୫ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଛି। ସେହି ଧାନ ଏବେ କେଉଁଠି ଅଛି। ଚାଷୀଙ୍କ ଧାନ କିଣା ଟଙ୍କା ପ୍ରଦାନ କରାଯାଇନଥିବାରୁ ସରକାରଙ୍କ ବିରୋଧରେ ସ୍ବର ତୀବ୍ର କରିଛି ବିଜେଡି। ଯଦି ଚାଷୀଙ୍କୁ ଧାନ ବିକ୍ରି ଟଙ୍କା ନମିଳେ, ତେବେ ଅହୋରାତ୍ର ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ସେପଟେ ଖୋଦ ଯୋଗାଣ ମନ୍ତ୍ରୀ ମଧ୍ୟ ଚାଷୀଙ୍କୁ ଟଙ୍କା ମିଳିନଥିବା କଥାକୁ ସ୍ବୀକାର କରିଛନ୍ତି। ସରକାରୀ ଅଧିକାରୀ ଭୁଲ କରିଥିବାରୁ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ଚାଷୀ। ଧାନ ବିକ୍ରି ବେଳେ କଟନି ଛଟନି ଯୋଗୁ ହନ୍ତସନ୍ତ ହୋଇଛନ୍ତି ଅନ୍ନଦାତା। ଏତେ ପରେ ବି ସରକାର ଚାଷୀଙ୍କ ଠାରୁ ଧାନ କିଣି ପ୍ରାପ୍ୟ ନଦେବାକୁ ନେଇ ତୀବ୍ର ହୋଇଛି ପ୍ରତିବାଦ। ଯାହାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଛି ବିଜେଡି।

Latest Posts

Don't Miss