ସର୍ବନିମ୍ନ ତାପମାତ୍ରାକୁ ଖାତିର ନକରି ୨୫ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନ୍ ବିରୋଧରେ ଆର ପାର ଲଢେଇ ଜାରି ରଖିଛନ୍ତି ଚାଷୀ  । ହକ୍ ପାଇଁ ୨୫ ଦିନ ଧରି ଚାଲିଛି ଆନ୍ଦୋଳନ  । ନୂଆ କୃଷି ଆଇନ୍ ଚାଷୀ ବିରୋଧି  । ଏହା ଦ୍ୱାରା କ୍ଷତିରେ ପଡିବେ ଚାଷୀ  । ପୂର୍ବପରି ଆଉ ଏମଏସପିରେ ସୁବିଧା ମିଳିବ ନାହିଁ, ମଣ୍ଡି ବ୍ୟବସ୍ଥାରେ ମଧ୍ୟ ଚାଷୀମାନେ ଶୋଷଣ ହେବେ  । ବଡ ବଡ ବ୍ୟବସାୟୀମାନେ ଏଥିରେ ଲାଭବାନ ହେବେ  । ଏଭଳି ଅଭିଯୋଗ ଆଣି ନୂଆ କୃଷି ଆଇନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଲକ୍ଷ ଲକ୍ଷ ଚାଷୀ  ।

ଚାଷୀ ଆନ୍ଦୋଳନକୁ ଦେଶବ୍ୟାପୀ ସମର୍ଥନ ମିଳିବାରେ ଲାଗିଛି  । ଯେ ପର୍ଯ୍ୟନ୍ତ ସରକାର ଦାବି ନ ମାନିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ରୋକଠୋକ ଶୁଣାଇ ଦେଇଛନ୍ତି । ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନି  । ତେବେ ପୁଣି ଥରେ ୩ରୁ ୪ ଦିନ ମଧ୍ୟରେ ଚାଷୀଙ୍କ ସହ ସରକାର ଆଲୋଚନା କରିବେ ବୋଲି ଜଣାପଡିଛି।

ତେବେ ରାଜଧାନୀ ଦିଲ୍ଲୀର ତାପମାତ୍ରା ଶନିବାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଶନିବାର ସକାଳେ ଏଠାରେ ୩.୯ ଡିଗ୍ରୀ ତାପମାତ୍ରା ରହିଥିଲା। କେତେକ ସ୍ଥାନରେ ଏହା ୩.୩ ଓ ୩.୪ ଡିଗ୍ରୀ ରହିଥିଲା। ଏହା ଥିଲା ଚଳିତ ଶୀତଋତୁ​‌ରେ ସର୍ବନିମ୍ନ। ଥଣ୍ଡା ସହିତ ଘନ କୁହୁଡ଼ି ଯୋଗୁଁ ପୁଲିସ ଗାଡ଼ିଗୁଡ଼ିକୁ ଅନ୍ୟ ରାସ୍ତା​ କଢ଼ାଇଥିଲା। ଏହାକୁ ଖାତିର ନ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଇତିମଧ୍ୟରେ ଆନ୍ଦୋଳନ ୨୫ଦିନରେ ପହଞ୍ଚିଛି ।

ଏହି ଅବସରରେ ‘ଟିମ୍‌ ଭଗତ ସିଂହ’ ନାମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ସିଙ୍ଘୁ ସୀମାସ୍ଥିତ ଆନ୍ଦୋଳନ ସ୍ଥଳରେ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଆନ୍ଦୋଳନରତ ଚାଷୀ ବା ​‌ସେମାନଙ୍କର ସମର୍ଥକଙ୍କ ସନ୍ତାନ। ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କୁ ସମର୍ଥନ ଜଣାଇଛନ୍ତି। ଦିଲ୍ଲୀ ବିଶ୍ବବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ସେଠାରେ ଚିତ୍ର ଆଙ୍କୁଥିବା ଦେଖାଯାଇଛି ।

ଅପରପକ୍ଷରେ କୃଷକ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିବେଦନର ଜବାବ ରଖିଛନ୍ତି। ସମ୍ବେଦନଶୂନ୍ୟ ସରକାରଙ୍କ ଅର୍ଥହୀନ ଆଲୋଚନା ବାରମ୍ବାର ବିଫଳ ହେଉଛି। ଏଭଳି କ୍ଷେତ୍ରରେ ଆଲୋଚନାର ପ୍ରଶ୍ନ ଉଠୁ ନାହିଁ ବୋଲି ସେମାନେ କହିଛନ୍ତି। ଅନ୍ୟ ଏକ ଘଟଣାରେ ରାଜସ୍ଥାନର ଏନ୍‌ଡିଏ ସହଯୋଗୀ ସାଂସଦ ହନୁମାନ ବେଣୀୱାଲ କୃଷକ ଆନ୍ଦୋଳନକୁ ସମର୍ଥ କରି ତିନିଟି ସଂସଦୀୟ କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

Leave a Reply