କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହେବ ବୈଠକ

1 min read

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେବ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ ସଙ୍ଗଠନ । ଆଜି  ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି।

ଯାହାକୁ ଦୃଷ୍ଟିରେ ରଖି ଆଜି ଚାଷୀ ଆନ୍ଦୋଳନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଆସିବ ବୋଲି ଚର୍ଚ୍ଚା ହେଉଛି । ଗତ ବୈଠକରେ ଦୁଇଟି ପ୍ରସଙ୍ଗରେ ହୋଇଥିଲା ସହମତି। ସରକାର ଦାବି ମାନିନେବା ନେଇ ଆଶାବାଦୀ ଅଛନ୍ତି ଚାଷୀ।

ପୂର୍ବ ବୈଠକରେ ଦୁଇଟି ପ୍ରସ୍ତାବ ଉପରେ ସହମତି ହୋଇଥିବା ବେଳେ ଆଜି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଉପରେ ଆଲୋଚନା ହେବ। ତେବେ ବୈଠକରେ ସମାଧାନର ବାଟ ବାହାରୁଛି କି ନାହିଁ ତାହା ଉପରେ ରହିଛି ନଜର । ହକ୍ ପାଇଁ ଥଣ୍ଡା, ବର୍ଷାରେ ଦୀର୍ଘ ୩୯ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ । ଏହା ମଧ୍ୟରେ ୩୦ରୁ ଅଧିକ ଚାଷୀଙ୍କ ଜୀବନ ଗଲାଣି।

ତେବେ ଦିନକୁ ଦିନ ଦିଲ୍ଲୀରେ ଥଣ୍ଡା ବଢୁଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଏଭଳିସ୍ଥଳେ ସରକାର ଦାବି ମାନି ନେବା ପାଇଁ ଦାବି କରିଛନ୍ତି ବିରୋଧୀ । ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ସିଂଘୁ ବର୍ଡରରେ ପହଞ୍ଚିଛନ୍ତି ବୌଦ୍ଧ ଭିକ୍ଷୁ, ଆନ୍ଦୋଳନସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ସ୍ୱର ମିଳାଇବା ସହ ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ବୌଦ୍ଧ ଭିକ୍ଷୁମାନେ ଦାବି କରିଛନ୍ତି । ଏହାଛଡ଼ା ଚାଷୀଙ୍କ ସମସ୍ୟା ସମାଧାନ ନ ହେବା ଯାଏ ସେମାନେ ଆନ୍ଦୋଳନରୁ ହଟିବେନି ବୋଲି କହିଛନ୍ତି । ଚାଷୀ କହିଛନ୍ତି, ଆମ ଦାବି ପୂର୍ବଭଳି ଅପରିବର୍ତ୍ତିତ ରହିଛି । ନୂଆ ଆଇନ ରଦ୍ଦ ଓ MSPରେ ଗ୍ୟାରେଣ୍ଟି ନ ମିଳିବା ଯାଏ ଆନ୍ଦୋଳନ ହଟିବନି ବୋଲି କିଷାନ ମଜଦୁର୍‌ ସଂଘ ପକ୍ଷରୁ କୁହାଯାଇଛି । ନ ହେଲେ ଆସନ୍ତା ୨୬ ଜାନୁଆରୀ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ମାର୍ଚ୍ଚ କରାଯିବ ବୋଲି ଚାଷୀ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

 

Leave a Reply