ହିମାଚଳ ଅତର ଫ୍ୟାକ୍ଟ୍ରିରେ ନିଆଁ, ଫସିଛନ୍ତି ୨୦

ସୋଲନ୍ : ହିମାଚଳ ପ୍ରଦେଶ ସୋଲନ ଜିଲ୍ଲାରେ ଥିବା ଏକ ଅତର ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କାରଖାନାରେ ୨୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନି । ବଦ୍ଧି ଓ ନାଲାଗଢ଼ ଅଞ୍ଚଳର ୧୨ରୁ ଅଧିକ ଅଗ୍ନିଶମ ଗାଡି ନିଆଁ ଲିଭା କାମରେ ଲାଗିଛନ୍ତି । ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବାକୁ ଏନଡିଆରଏଫ ଟିମ୍ ମଧ୍ୟ ଲାଗିଛନ୍ତି ।

ନିଆଁ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଅଞ୍ଚଳରେ ଧାଆଁଦୌଡ଼ ଲାଗି ଯାଇଥିଲା । କିଛି ଲୋକ ଫ୍ୟାକ୍ଟ୍ରି ଭିତରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଦୁଇଜଣ ଶ୍ରମିକ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ନିଆଁ ଲାଗିବା ପରର କିଛି ଭିଡିଓ ନଜରକୁ ଆସିଛି । ଜଣେ ମହିଳା ଛାତ ଉପରେ ଥିବା ଦେଖିବାକୁ ମିଳିଥିଲା । ଫ୍ୟାକ୍ଟ୍ରି ଭିତରେ ପାଖାପାଖି ୨୦ ଜଣ ଶ୍ରମିକ ଫସି ରହିଥିବା ଜଣେ କହୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଆଁ ସହ ଧୂଆଁ ପୂରା ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି । ସ୍ଥିତି ଏମିତି ହୋଇଛି ଯେ, ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ ସମସ୍ୟା ହେଉଛି ।