କ୍ରିକେଟ୍ ଇତିହାସରେ ବିରାଟ ହାତେଇଲେ ଏହି ବିଶ୍ୱ ରେକର୍ଡ…

ନୂଆଦିଲ୍ଲୀ: ୨୦୨୩ ମସିହାରେ ବିରାଟ କୋହଲି ପୁଣିଥରେ ଏକ ରେକର୍ଡ ହାସଲ କରିଛନ୍ତି । ଯାହା ୧୪୬ ବର୍ଷର କ୍ରିକେଟ୍ ଇତିହାସରେ କୌଣସି ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି । ସର୍ବାଧିକ ଶତକ ଏବଂ ସର୍ବାଧିକ ରନ୍ ସ୍କୋର କରିଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କ କ୍ୟାରିୟରରେ ଏହି ରେକର୍ଡ କରିପାରିନଥିଲେ।

ଗତକାଲି ସେଞ୍ଚୁରିଅନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳିରେ ପରାଜିତ ହୋଇଥିଲା ଭାରତ ।  କିନ୍ତୁ ଭାରତ ହାରିଥିଲେ ହେଁ ବିରାଟ କୋହଲି ଇତିହାସ ରଚିଛନ୍ତି। ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଥିଲେ ବିରାଟ । ଏପରି କରିବାରେ ବିରାଟ କୋହଲି ପୁରା ବିଶ୍ୱରେ ପ୍ରଥମ ବ୍ୟାଟର ହୋଇଛନ୍ତି । ଗତକାଲି ଭାରତର ଦ୍ୱିତୀୟ ଇଂନିସରେ ସେ ୮୨ ଟି ବଲରୁ ୭୬ ରନ ସଂଗ୍ରହ କରିଥିଲେ । ଏହା ସହ ସେ ଚଳିତ କ୍ୟାଲେଣ୍ତର ବର୍ଷରେ ମୋଟ ୨୦୦୬ ରନ ସଂଗ୍ରହ କରି ନେଇଥିଲେ।

ଏହା ପୂର୍ବରୁ ସେ ୨୦୧୨ରେ ୨୧୮୬ ରନ୍, ୨୦୧୪ରେ ୨୨୮୬ ରନ୍, ୨୦୧୬ରେ ୨୫୯୫ ରନ୍, ୨୦୧୭ରେ ୨୮୧୮ ରନ୍, ୨୦୧୮ରେ ୨୭୩୫ ରନ୍ ଏବଂ ୨୦୧୯ରେ ୨୪୫୫ ରନ୍ ସଂଗ୍ରହ କରିଥିଲେ । ବିରାଟଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରି ପାରିନାହାନ୍ତି ।