ବିଦେଶ ମୁହାଁ ଭାରତୀୟ ଉଦ୍ୟୋଗୀ, ଲଗାତାର କମୁଛି ଏଫଡିଆଇ

ଭୁବନେଶ୍ବର : ଲଗାତାର ୩ ବର୍ଷ ଧରି ନେଟ ଏଫଡ଼ିଆଇରେ ହ୍ରାସ। ଗତବର୍ଷ ଅପେକ୍ଷା ଏଥର ୯୬.୫ ପ୍ରତିଶତ ହ୍ରାସ ପାଇଛି ନେଟ ଏଫଡ଼ିଆଇ। ଗତବର୍ଷ ୧୦ ବିଲିଅନ୍ ବିଦେଶୀ ପୁଞ୍ଜି ଆସିଥିବା ବେଳେ ଏଥର ତାହା ୩୫୩ ମିଲିଅନକୁ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବା ସହ ନିଯୁକ୍ତି କ୍ଷେତ୍ର ସଂକୁଚିତ ହେବା ସମ୍ଭାବନା ରହିଛି । ପ୍ରତ୍ୟେକ୍ଷ ବୈଦେଶିକ ପୁଞ୍ଜି ହ୍ରାସ ନେଇ ରିପୋର୍ଟ ପ୍ରକାଶ କରିଛି ଆରବିଆଇ । ଭାରତୀୟ ପୁଞ୍ଜିପତିମାନେ ଭାରତ ଅପେକ୍ଷା ବିଦେଶରେ ଅଧିକ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି। ଭାରତରେ ଶିଳ୍ପ ଭିତ୍ତିଭୂମି, ସରକାରୀ ନୀତି ଓ ଇଜ ଅଫ୍ ଡୁଇଙ୍ଗ ଦେଖି ପୁଞ୍ଜିପତିମାନେ ନିବେଶ କରିଥାନ୍ତି। ଦେଶରେ କିଛି ରାଜ୍ୟକୁ ଛାଡ଼ିଦେଲେ ସବୁ ରାଜ୍ୟରେ ପୁଞ୍ଜି ନିବେଶ ହେଉନାହିଁ।
୨୦୨୩ରେ ଭାରତକୁ ୨୫ ବିଲିଅନ୍ ଏଫ୍ଡ଼ିଆଇ ଆସିଥିବା ବେଳେ ୨୦୨୪ରେ ତାହା ୧୦ ବିଲିଅନକୁ ଖସିଥିଲା। ୨୦୨୫ରେ ଏହି ପରିମାଣ ୩୫୩ ମିଲିଅନକୁ ଖସିଆସିଛି। ଗ୍ରସ ଏଫ୍ଡ଼ିଆଇରେ ୧୩ ପ୍ରତିଶତ ବୃଦ୍ଧି ପାଇଥିଲେ ବି କେତେକ ପୁଞ୍ଜିପତି ଭାରତୀୟ ମାର୍କେଟକୁ ଛାଡ଼ିବା ଯୋଗୁଁ ନେଟ ଏଫ୍ଡ଼ିଆଇ କମି କମି ଚାଲିଛି। ସ୍ବିଗୀ, ହୁଣ୍ଡାଇ, ଆଇଟିସି, ଏୟାରଟେଲ ଭଳି କମ୍ପାନୀଙ୍କ ଆଇପିଓ ପ୍ରତ୍ୟାହାର ଯୋଗୁଁ ଏଫ୍ଡ଼ିଆଇ କମିଚାଲିଛି। ୬୦ ପ୍ରତିଶତରୁ ଅଧିକ ଏଫଡ଼ିଆଇ ନିର୍ମାଣ, ଆର୍ଥିକ ସେବା, ଶକ୍ତି କ୍ଷେତ୍ରରେ ଆସୁଛି। ୭୫ ପ୍ରତିଶତ ଏଫଡ଼ିଆଇ ସିଙ୍ଗାପୁର, ମରିସସ୍, ୟୁଏଇ, ନେଦରଲ୍ୟାଣ୍ଡ ଓ ଆମେରିକାକୁ ଯାଉଛି। ୨୦୨୩ରେ ଭାରତରୁ ଏଫ୍ଡ଼ିଆଇ ପ୍ରତ୍ୟାହାର ୨୯.୩ ବିଲିଅନ୍ ଥିବା ବେଳେ ୨୦୨୪ରେ ଏହା ୪୪.୫ ବିଲିଅନ୍ ରହିଥିଲା । ୨୦୨୫ରେ ୫୧.୫ ବିଲିଅନରେ ପହଞ୍ଚିଛି। ବିଦେଶରେ ଭାରତୀୟ କମ୍ପାନୀଙ୍କ ପୁଞ୍ଜି ନିବେଶ ପରିମାଣ ଗତବର୍ଷ ୧୬.୭ ବିଲିଅନ୍ ଥିବା ବେଳେ ଏଥର ତାହା ୨୯.୨ ବିଲିଅନରେ ପହଞ୍ଚିଛି।