ଭୁବନେଶ୍ବର : ଭୂ-ରାଜନୈତିକ ସଂକଟ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ଯ ହ୍ରାସ। ଭାରତୀୟ ବଜାରରୁ ଆସ୍ଥା ହରାଇଲେଣି ବିଦେଶୀ ପୁଞ୍ଜି ନିବେଶକାରୀ। ୨୦୨୨ ପରେ ୨୦୨୫ରେ ବୈଦେଶିକ ପୋର୍ଟଫୋଲିଓ ନିବେଶକାରୀ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ଯାହାର କରି ପଳେଇଲେଣି। ୨୦୨୨ରେ ବିଦେଶୀ ନିବେଶକ ଭାରତୀୟ ବଜାରରୁ ୧ ଲକ୍ଷ ୨୧ ହଜାର କୋଟି ଟଙ୍କା କାଢ଼ି ନେଇଥିଲେ। ଚଳିତବର୍ଷ ଅଧିକ ୩୯ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ଯାହାର କରିଛନ୍ତି ବୈଦେଶିକ ପୋର୍ଟଫୋଲିଓ ନିବେଶକ। ଭାରତୀୟ ବଜାର ଉପରେ କାହିଁକି ଆସ୍ଥା ତୁଟାଉଛନ୍ତି ବିଦେଶୀ ପୁଞ୍ଜି ନିବେଶକାରୀ? ଏହାକୁ ନେଇ ଅର୍ଥନୀତି ବିଶାରଦ ଭିନ୍ନ ଭିନ୍ନ ତଥ୍ଯ ରଖିଛନ୍ତି। ଆମେରିକା ଫେଡେରାଲ ରିଜର୍ଭ ବ୍ଯାଙ୍କ ସୁଧ ହାର ଅଧିକ କରିଛି। ସମାନ ତାଳ ଦେଇ ଚୀନ ସେଣ୍ଟ୍ରାଲ ବ୍ଯାଙ୍କ ମଧ୍ଯ ସୁଧହାର ବଢ଼ାଇଛି। ଫଳରେ ବିଦେଶୀ ପୁଞ୍ଜି ନିବେଶକାରୀ ଆଉ ଭାରତୀୟ ବଜାରରେ ଅର୍ଥ ନ ଲଗାଇ ଆମେରିକା ଓ ଚୀନ ବଜାରରେ ଅର୍ଥ ଲଗାଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଡଲାର ତୁଳନାରେ ଟଙ୍କା ଲଗାତାର ହ୍ରାସ ଘଟୁଥିବାରୁ ବିଦେଶୀ ପୁଞ୍ଜି ନିବେଶକାରୀ କମ ରିଟର୍ଣ୍ଣ ପାଉଛନ୍ତି। ଯାହା ଫଳରେ ସେମାନେ ଭାରତୀୟ ବଜାରରୁ ଅର୍ଥ କାଢ଼ି ନେଇଛନ୍ତି। ଖାଲି ସେତିକି ନୁହେଁ, ଭାରତ ଚୀନକୁ ବାର୍ଷିକ ୧୫ରୁ ୨୦ ବିଲିୟନ ଡଲାର ମୂଲ୍ଯର ରପ୍ତାନୀ କରୁଥିବାବେଳେ ଚୀନରୁ ପ୍ରତ୍ଯେକ ସାମଗ୍ରୀ ଆମଦାନୀ ପରିମାଣ ୧୨୦ ବିଲିୟନ ଡଲାରରୁ ୧୩୦ ବିଲିୟନ ଡଲାରରେ ପହଞ୍ଚିଲାଣି। ଏହାଯୋଗୁ ଦେଶର ବାଣିଜ୍ଯିକ ନିଅଣ୍ଟ ବଢ଼ିଚାଲିଛି।
ଭାରତୀୟ ବଜାରରେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପ୍ରବେଶ ଓ ପ୍ରସ୍ଥାନର ସମୟ ଭୁଲ ଥିଲା ବୋଲି କହିଛନ୍ତି ବଜାର ବିଶେଷଜ୍ଞ। ଯେତେବେଳେ ଭାରତୀୟ ବଜାରରେ ଇକ୍ଯୁଟି ଅଂଶଧନ ମୂଲ୍ଯ ଅଧିକ ଥିଲା ସେତେବେଳେ ବୈଦେଶିକ ପୋର୍ଟଫୋଲିଓ ନିବେଶକାରୀ ପୁଞ୍ଜି ନିବେଶ କରିଥିଲେ। ଯାହାକି ଲାଭ ଦୃଷ୍ଟିରୁ ଠିକ ନଥିଲା। ଏହାସହିତ ଯେତେବେଳେ ମାର୍କେଟ କ୍ରାସ କରି ତଳକୁ ଖସୁଛି ସେତିକିବେଳେ ଏଫପିଓମାନେ ସେମାନଙ୍କ ପ୍ରଫିଟ ବୁକ କରୁଛନ୍ତି। ଏହି ଦୁଇଟିଯାକ ଭୁଲ ନିଷ୍ପତ୍ତିି। ୨୦୨୬ରେ ସ୍ଥିତିରେ କିଛିଟା ସୁଧାର ଆସିପାରେ। ଆମେରିକା ସହିତ ଭାରତର ବାଣିଜ୍ଯିକ ଚୁକ୍ତିନାମା ପାଇଁ କେନ୍ଦ୍ର ସରକାର କଥାବାର୍ତ୍ତା ଜାରି ରଖିଛନ୍ତି। ଟାରିଫ ବି କମ ହେବାର ଅଛି। ଏହାସହିତ ନ୍ଯୁଜିଲାଣ୍ଡ, ଜାପାନ ଓ ଜର୍ମାନୀ ଭଳି ଦେଶରେ ଭ୍ଯାଲୁଏସନ ଚରମ ସୀମାରେ ପହଞ୍ଚିବ। ଫଳରେ ସେଠାକାର ମାର୍କେଟ ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ କମ ରିଟର୍ଣ୍ଣ ଦେବ। ଫଳରେ ପୁଣି ଥରେ ବିଦେଶୀ ପୁଞ୍ଜି ନିବେଶକାରୀ ଭାରତ ବଜାର ମୁହାଁ ହେବେ ବୋଲି ଆଶା ରଖିଛନ୍ତି ବଜାର ବିଶେଷଜ୍ଞ । ୨୦୨୫ ବିଦାୟ ନେଉଛି। ବିଦେଶୀ ପୁଞ୍ଜି ନିବେଶକାରୀ ମୁହଁ ଫେରେଇନେଉଥିଲେ ବି ଏ ବର୍ଷ ଘରୋଇ ପୁଞ୍ଜି ନିବେଶକାରୀ ଭାରତୀୟ ବଜାରରେ ଅଧିକ ପୁଞ୍ଜି ଖଟାଇଛନ୍ତି। ଯାହାଯୋଗୁ ବଜାରରେ ସ୍ଥିରତା ରହିଛି।

